No Result
View All Result
ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀରେ ରଥଖଳା କହୁଛି ରଥ ନିର୍ମାଣର କାହାଣୀ
ଦର୍ଶକ ମନଭରି ଦେଖୁଛନ୍ତି ରଥ ନିର୍ମାଣର କଳାକୌଶଳ
ଫଟୋ ଦେଖି ଉଲ୍ଲସିତ ବିଶ୍ୱକର୍ମା ପରିବାର ସଦସ୍ୟ
୧୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ/ଭୁବନେଶ୍ୱର :-> ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ଶ୍ରୀପଞ୍ଚମୀରୁ ପ୍ରସ୍ତୁତ ହୁଅନ୍ତି ରଥ-ପଥ-ଜଗନ୍ନାଥ । ନାବାଳକ ଠାରୁ ଆରମ୍ଭ କରି ଶତାୟୁ ବିଶ୍ୱକର୍ମା ସେବକମାନଙ୍କ ଯାଦୁକରୀ ହାତର ସ୍ପର୍ଶରେ ପ୍ରଥମେ ପ୍ରସ୍ତୁତ ହୁଅନ୍ତି ରଥତ୍ରୟ । ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ନୀଳମାଧବଙ୍କ ବିଜେସ୍ଥଳୀ ନୟାଗଡ ଜିଲ୍ଲାର ବନାଞ୍ଚଳରୁ ରଥକାଠ ଆସି ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରର ଆଜ୍ଞାମାଳ ସହିତ ଶ୍ରୀପଞ୍ଚମୀରୁ ଶ୍ରୀନଅର ସମ୍ମୁଖସ୍ଥ ରଥଖଳା ହୁଏ ଚଳଚଞ୍ଚଳ । ଏହାକୁ ଲକ୍ଷ୍ୟ କରି ପୁରାତନ ରଚନାରୁ ଉର୍ଦ୍ଧୃତ ହୋଇଛି ‘ରଥଖଳା ଠାରୁ ବଡଦାଣ୍ଡ ଯାଏ ଲାଗିଛନ୍ତି ସେବାୟତ, ବିଶ୍ୱନିୟନ୍ତାଙ୍କ ରଥଯାତ ଲାଗି ଚାଲିଅଛି ଯାତାୟାତ’ । ପୂଜାବିଧି ପରେ ଆରମ୍ଭ ହୁଏ ରଥକାଠ ଚିରଟ ପ୍ରକ୍ରିୟା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱକର୍ମା ସେବକମାନେ ପାରମ୍ପରିକ ଯନ୍ତ୍ରପାତି ବ୍ୟବହାର କରି ଅତି ନିଷ୍ଠାର ସହିତ ବିଭିନ୍ନ ତିଥି ଅନୁସାରେ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ଏବଂ ସମାପନ ମଧ୍ୟ କରନ୍ତି ।
ଯାହାକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ । ରଥକାଠ ପୂଜାବିଧି ଠାରୁ ଆରମ୍ଭ କରି ରଥଖଳାରେ ବିଭିନ୍ନ ବର୍ଗର ବିଶ୍ୱକର୍ମା ସେବକମାନଙ୍କ ରଥର ନିର୍ମାଣ କାର୍ଯ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରୁଛନ୍ତି । ଫଟୋଚିତ୍ରରେ ଦେଖିବାକୁ ମିଳୁଛି ପରିବାରର ବୟୋଜ୍ୟେଷ୍ଠଙ୍କ ତତ୍ତ୍ୱାବଧାନରେ ଜଣେ ରୂପକାର ନାବାଳକ ବିଶ୍ୱକର୍ମା ନିଜ ନିହଣ ହାତୁଡି ଧରି କାଠରେ ଖୋଦେଇ କରୁଛି ବିଭିନ୍ନ ପାରମ୍ପରିକ ମୂର୍ତ୍ତି, ତ ଆଉ କେଉଁଠାରେ ଦେଖିବାକୁ ମିଳୁଛି ଜଣେ ଶତାୟୁ ଭୋଇ ସେବକଙ୍କ ଦ୍ୱାରା ରଥ ନିର୍ମାଣ ପାଇଁ ବ୍ୟବହୃତ ଲୌହ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ ।
ସେହିପରି ଚିତ୍ରକାର ସେବକ ମଧ୍ୟ ମନେମନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚିନ୍ତନ କରୁଛି ଞ୍ଜଫଞ୍ଚଟ୍ଟ;ଅନନ୍ତ ସୃଷ୍ଟିର ତୁମେ ଚିତ୍ରକର, ବିଶାଳ ଧରିତ୍ରୀର ତୁମେ ଆଧାର, ଅବତାରୀ ପୁରୁଷ ତୁମେ ଦଶ ଅବତାର, ତୁମେ ମଧ୍ୟ କରୁଣା ସାଗର’ ଏବଂ ଆକର୍ଷଣୀୟ ରଙ୍ଗରେ ସୁଚିତ୍ରିତ କରୁଛି ରଥର ବିଭିନ୍ନ ଅଂଶକୁ । କେଉଁଠାରେ ଦେଖିବାକୁ ମିଳୁଛି ଦରଜୀ ସେବାକାର ଯାଦୁକରୀ ସିଲେଇ କାର୍ଯ୍ୟ ତ ଆଉ କେଉଁଠାରେ ଅଖ-ଚକ ଡେରା କାର୍ଯ୍ୟ । ସମସ୍ତଙ୍କ ମନରେ ସେହି ଗୋଟିଏ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ‘ତାଳଧ୍ୱଜ ସାଥେ ଦେବଦଳନ ଓ ନନ୍ଦିଘୋଷ ଉଭା ହେବ, ନୀଳାମ୍ବର ସାଥେ ହଳଦୀ ମୁଖୀକୁ ସାଙ୍ଗରେ ଧରି ଆସିବ’. ଚଳିତ ବର୍ଷର ରଥଯାତ୍ରା ପାଇଁ ପ୍ରସ୍ତୁତ ରଥଖଳାର ଏହି ଫଟୋଚିତ୍ରଗୁଡିକରେ ନିଜ ପରିବାରର ବିଭିନ୍ନ ସଦସ୍ୟଙ୍କୁ ଦେଖି ବିଶ୍ୱକର୍ମା ପରିବାରବର୍ଗ ଅତ୍ୟନ୍ତ ଉଲ୍ଲସିତ ହେବା ସହିତ ପ୍ରଦର୍ଶନ ବୋର୍ଡ ନିକଟରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି ।

No Result
View All Result