
0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଦେଶ ଓ ଜାତିକୁ ଶ୍ରେଷ୍ଠ ଭାବେ ଗଢିତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଅବର୍ଣ୍ଣନୀୟ। ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବା ସହ ଶିକ୍ଷାନୁଷ୍ଠାନ ରେ ଥିବା ସମସ୍ୟା ଗୁଡ଼ିକର ଉପଯୁକ୍ତ ଭାବରେ ସମାଧାନ କରାଗଲେ ନିଶ୍ଚିତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୁରୀ ଟାଉନ ହଲ୍ ଠାରେ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏକଦିବସୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ଗତ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପୁରୀ ଜିଲ୍ଲାର ସମୁଦାୟ ୧୧୬ A1 ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପରିଡା ଶ୍ରୀଗଣେଶଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଶିକ୍ଷା କୌଣସି ଜାତି ବା ରାଷ୍ଟ୍ରକୁ ଶ୍ରେଷ୍ଠ କରିବାର ମୁଖ୍ୟ ଆଧାର।ଯିଏ ଯେଉଁ ପଦବୀରେ ଥିଲେ ମଧ୍ୟ ତାହାର ଉତ୍ସ ଶିକ୍ଷା।
ତେଣୁ ରାଜନୈତିକ ବିଚାର ଧାରାରୁ ଉର୍ଦ୍ଧ୍ବ ରେ ରହି ଶିକ୍ଷା ର ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ବିଧାୟକ କାକଟପୁର ତୁଷାରକାନ୍ତି ବେହେରା,ବିଧାୟକ ପୁରୀ ସୁନିଲ କୁମାର ମହାନ୍ତି,ବିଧାୟକ ପିପିଲି ଆଶ୍ରିତ ପଟ୍ଟନାୟକ, ବିଧାୟକ ସତ୍ୟବାଦୀ ଓମ୍ ପ୍ରକାଶ ମିଶ୍ର, ବିଧାୟକ ବ୍ରହ୍ମଗିରି ଉପାସନା ମହାପାତ୍ର ଉପସ୍ଥିତ ରହି ଶିକ୍ଷା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ ରେ ଏ ୧ ପାଇଥିବା ୧୧୬ ଜଣ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ଶୀର୍ଷତମ ଶିଖରରେ ଉପନିତ କରାଇ ପାରିଥିବା ୭ ଜଣ ସବ୍ଜେକ୍ଟ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।















