୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ଭାବେ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ ଜଣେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ବାଣିଜ୍ୟ କର କମିସନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ହରିୟାଣାରେ ଜନ୍ମିତ ମନୋଜ ଆହୁଜାଙ୍କର ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ବେଶ୍ ସୁପରିଚିତ । ୨୦୧୭ ମସିହାରେ ଡେପୁଟେସନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଶା କ୍ୟାଡରର ଏହି ଅଧିକାରୀ ଭାରତୀୟ ପ୍ରଶାସନିକ ସେବାକୁ ଆସୁଥିବା ଶିକ୍ଷା ନବୀଶଙ୍କୁ ଜନ ପ୍ରଶାସନ ସହ କିପରି ଯୋଡ଼ି ହେବା ତାହାର ନେତୃତ୍ୱ ନେଇଥିଲେ । ଲାଲ୍ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ତାଙ୍କର କାର୍ଯ୍ୟକାଳ ଆଜି ବି ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହିଛି । ସିବିଏସ୍ଇ ଅଧ୍ୟକ୍ଷ ଭାବେ ସେ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସମୟରେ ଅନେକ ସଂସ୍କାର ଆଣିଥିଲେ ।















