୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଇଣ୍ଡିଆନ୍ ପଲିଟିକାଲ ଇକୋନୋମି ଆସୋସିଏସନ୍ (ଆଇପିଇଏ) ସମ୍ମିଳନୀର ୨୭ତମ ବାର୍ଷିକ ସଂସ୍କରଣ ‘ଭୌଗୋଳିକ- ରାଜନୀତି,ଶକ୍ତି, ଅର୍ଥ ଓ ଗଣତନ୍ତ୍ର’ ଶୀର୍ଷକରେ ଜାନୁୟାରୀ ୨୭ ଓ ୨୮ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସ୍କୁଲ ଅଫ ହ୍ୟୁମାନୀଟିଜ, ସୋସିଆଲ ସାଇନ୍ସେସ ଆଣ୍ଡ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆଇଆଇଟି ଭୁବନେଶ୍ଵରରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ପରିବେଶ ସମ୍ବନ୍ଧୀୟ ସମସ୍ୟା, ଆନ୍ତର୍ଜାତୀୟ ସାମାଜିକ- ରାଜନୈତିକ ଅସମାନତା ଏବଂ ଏହି ପାର୍ଥକ୍ୟକୁ ଦୂର କରିବା ପାଇଁ ସମାଧାନ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀ ଆନ୍ତର୍ଜାତୀୟ ମାକ୍ରୋଇକୋନୋମିକସ,ଅର୍ଥ, ନିର୍ବାଚନରେ ତଥା ଶାସନ କ୍ଷେତ୍ରରେ ରାଜନୈତିକ ଅର୍ଥନୀତି,ସ୍ୱାସ୍ଥ୍ୟ ନୀତି ଆନ୍ତର୍ଜାତୀୟ ଅର୍ଥନୈତିକ ପରିସ୍ଥିତି ଆଦି ଅନେକ ବିଷୟରେ ବିଚାର ବିମର୍ଶ ପାଇଁ ଅବସର ପ୍ରଦାନ କରିଥିଲା।
ଏହି ଆଲୋଚନା ଚକ୍ରରେ ଭବିଷ୍ୟତର ଅନୁସନ୍ଧାନର ସମ୍ଭାବନା ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ପ୍ରଭାବଶାଳୀ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଥିଲା ଯାହା କି ଭାରତୀୟ ପ୍ରସଙ୍ଗରେ ଅନ୍ତର୍ଭୂକ୍ତ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ତଥା ଶାସନ ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକାରୀ ସାବ୍ୟସ୍ତ ହେବ। କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସମ୍ମିଳନୀର ଆବାହକ ତଥା ଆଇଆଇଟି ଭୁବନେଶ୍ଵରର ଅର୍ଥନୀତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୀତାକାନ୍ତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇପିଇଏ ହସ୍ତାକ୍ଷର କର୍ତ୍ତା ପ୍ରଫେସର ବଲବିନ୍ଦର ସିଂ ତିୱାନା ସମ୍ମିଳନୀର ଉଦ୍ଦେଶ୍ୟ, ଅନୁଷ୍ଠାନର ଇତିହାସ ଏବଂ ଆଇପିଇଏର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଉଲ୍ଲେଖ କରିଥିଲେ।
ସେ ଅନୁଷ୍ଠାନର ଗଣତାନ୍ତ୍ରିକ ତଥା ଅଣ-କ୍ରମିକ ସଂରଚନା ଉପରେ ଗୁରୁତ୍ୱ ଆରୋପ କରି ଅର୍ଥନୈତିକ ଗବେଷଣାର ଅନ୍ତର୍ଭୁକ୍ତି କରଣ ଓ ଅନ୍ତର୍ବିଭାଗୀୟ ପ୍ରକୃତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ, ଅଂଶଗ୍ରହଣକାରୀମାନଙ୍କୁ ଉଦବୋଧନ ଦେଇ ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କର୍ମଲକର ରାଜନୀତି ଓ ଦର୍ଶନଶାସ୍ତ୍ର ତୁଳନାରେ ଅର୍ଥନୀତି ବିଷୟ ସମ୍ପର୍କରେ ନିଜର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଥିଲେ।ସେ ଦର୍ଶାଇଥିଲେ ଯେ ସମାଜ ବିଷୟରେ ବିତର୍କରେ ସାଧାରଣ ବ୍ୟକ୍ତି ଅର୍ଥନୀତି ଅପେକ୍ଷା ରାଜନୀତି ଏବଂ ଦର୍ଶନ ବିଷୟରେ ଆଲୋଚନା କରିବାରେ ଅଧିକ ସହଜ ଅଟନ୍ତି, ଯଦିଓ ଅର୍ଥନୀତି ସାମାଜିକ ସଂସ୍କାର ଆଣିବାରେ ଏକ ଭୂମିକା ଗ୍ରହଣ କରିଥାଏ। ତେଣୁ, ସାଧାରଣ ଶିକ୍ଷିତ ଲୋକଙ୍କୁ ସାମାଜିକ ଅବସ୍ଥା ବିଷୟରେ ଆଲୋଚନା କରିବାବେଳେ ଜିଡିପି, ଏଫଡିଆଇ, ଷ୍ଟକ୍ ଇଣ୍ଡେକ୍ସ ଇତ୍ୟାଦି ମୌଳିକ ଅର୍ଥନୈତିକ ସୂଚକାଙ୍କର ଅର୍ଥ ଏବଂ ବ୍ୟବହାର ବିଷୟରେ ଶିକ୍ଷା ଦେବା ଆବଶ୍ୟକ।
ଏହା ଏକାଡେମିକ୍ସ ଏବଂ ଅର୍ଥନୀତି ସମ୍ବନ୍ଧୀୟ ସଂଗଠନର କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀର ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସବିଆଇ ଗ୍ରୁପର’ ଗ୍ରୁପ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ସୌମ୍ୟ କାନ୍ତି ଘୋଷ ଭାରତରେ ଅର୍ଥ ଏବଂ ବିକାଶର ଭବିଷ୍ୟତ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ସେ ଚାରୋଟି ବିଷୟ ଉପରେ ଧ୍ୟାନ ଦେଇଥିଲେ: ନବସୃଜନ, ଅନ୍ତର୍ଭୂକ୍ତିକରଣ, ବିନିଯୋଗ ଏବଂ ଭିତ୍ତିଭୂମି।ସେ ନୀତି ନିର୍ଦ୍ଧାରଣରେ ପ୍ରୟୋଗିତ ଶିକ୍ଷଣ ଏବଂ ତତ୍ତ୍ୱିକ ଶିକ୍ଷାର ମିଶ୍ରଣ ସମ୍ବନ୍ଧରେ ବିଚାର କରିଥିଲେ।ସ୍କୁଲ ଅଫ ହ୍ୟୁମାନୀଟିଜ, ସୋସିଆଲ ସାଇନ୍ସେସ ଆଣ୍ଡ୍ ମ୍ୟାନେଜମେଣ୍ଟର ମୁଖ୍ୟ ଡକ୍ଟର ଦୁଃଖବନ୍ଧୁ ସାହୁ ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀରେ ଅନେକ ସମାନ୍ତରାଳ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଦୁଇଟି ମୁଖ୍ୟ ଉପସ୍ଥାପନା ଜୁରିକ ବିଶ୍ୱବିଦ୍ୟାଳୟର ପ୍ରଖ୍ୟାତ ଅର୍ଥନୀତିଜ୍ଞ ପ୍ରଫେସର କ୍ୟାଥରିନା ମାଇକେଲୋଭା ଏବଂ ୟୁମାସ ଆମଷ୍ଟର ପ୍ରଫେସର ସି.ପି. ଚନ୍ଦ୍ରଶେଖର କରିଥିଲେ। ଏହି ସମ୍ମିଳନୀରେ ଭାରତୀୟ ଅର୍ଥନୀତିର ସ୍ଥିତି ଏବଂ ବର୍ତ୍ତମାନର ବିଶ୍ୱ କ୍ରମରେ ଭାରତର ସ୍ଥାନ ଉପରେ କେତେକ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ୟାନେଲ୍ ଆଲୋଚନା ମଧ୍ୟ ହୋଇଥିଲା। ଏହି ସମ୍ମିଳନୀର ଉଦଯାପନୀ ଅଧିବେଶନରେ ପ୍ରଫେସର ଆର ବିଜୟ ଏବଂ ପ୍ରଫେସର ଅମରଜିତ ସିଂ ସିଦ୍ଧୁ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଭାରତ ତଥା ବିଦେଶରୁ ପ୍ରଫେସର ଏବଂ ଅନୁସନ୍ଧାନ ବିଶେଷଜ୍ଞଙ୍କ ସମେତ ୧୦୦ ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ।














