No Result
View All Result
୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :-> ଶେରଗଡ଼ ବ୍ଲକ ପାକିଡି ଗ୍ରାମର ମୂଳ ବାସିନ୍ଦା ତଥା ହିଞ୍ଜିଳି ଥାନା ସାରୁ ଗ୍ରାମରେ ଗତ୧୦ବର୍ଷ ଧରି ସୁରେନ୍ଦ୍ର ପାଢ଼ୀଙ୍କ ଭଡାଘରେ ସପରିବାର ରହୁଥିବା ରିକ୍ସା ଚାଳକ ପ୍ରଭାକର ସ୍ୱାଇଁଙ୍କ ଧର୍ମପତ୍ନୀ ସବିତା ସ୍ବାଇଁ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସୋମବାର ସକାଳେ ମୃତ୍ୟୁବରଣ କରିଥିଲେ।ଦୈନିକ ରିକ୍ସା ଚଳାଇ ପ୍ରଭାକର ଯାହା କିଛି ରୋଜଗାର କରୁଥିଲେ ସେଥିରେ ମାନସିକ ଅନଗ୍ରସର ଝିଅ ଓ ଅସୁସ୍ଥ ପତ୍ନୀଙ୍କ ଔଷଧ ଖର୍ଚ୍ଚ ଓ ଚିକିତ୍ସା ବହନ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥିଲା।ପରିବାର ଚଳାଇବା ଏବଂ ଆର୍ଥିକ ଅନଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା ସେବା ନ ପାଇ ଶେଷରେ ସ୍ତ୍ରୀ ଚୀରଦିନ ପାଇଁ ଆରପରିକୁ ଚାଲିଗଲା ।

ଏପରିକି ମୃତ ସ୍ତ୍ରୀର ଶବ ଗାଁରେ ସତ୍କାର କରିବା ପ୍ରଭାକରଙ୍କ ପକ୍ଷେ କଷ୍ଟକର ହୋଇଥିଲା।ଏଭଳି ଏକ ଗମ୍ଭୀର ଏବଂ ଦୁଃଖଦ ଅବସ୍ଥାର ସମ୍ମୁଖୀନ ହୋଇଥିବା ରିକ୍ସା ଚାଳକ ପ୍ରଭାକର ନିଜ ଲୁହ ଓ କୋହକୁ ଚାପି ଧରି ଶବ ସତ୍କାର ପାଇଁ ଚିନ୍ତିତ ଥିଲେ। ଏହି ଅଭାବନୀୟ ଖବର ପାଇ ହିଞ୍ଜିଳିକାଟୁ ବ୍ଲକ ବିଡିଓ ସୁବ୍ରତ କୁମାର ଜେନା ତତ୍କାଳ ପ୍ରଭାକରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଶବ ସତ୍କାର ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ନିଶ୍ଚିତ କରିଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଷ୍ଣବ ମଣ୍ଡଳ ଓ କିଛି ସହୃଦୟ ଗ୍ରାମବାସୀଙ୍କ ସହଯୋଗ ଓ ଉପସ୍ଥିତିରେ ଗ୍ରାମ ସ୍ମଶାନରେ ସବିତାଙ୍କ ଅନ୍ତିମ ସଂସ୍କାର କରା ଯାଇଥିଲା ।

ପରେ ବିଡିଓ ଅଭାବୀ ପ୍ରଭାକରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଶବ ସତ୍କାର କାର୍ଯ୍ୟରେ ଗ୍ରାମର ରଞ୍ଜନ ଦାସ,ଟୁନା ଦାସ, ଶଶାଙ୍କ ଦାସ,ହୀନ ଦାସ,କୁନା ଦାସ,ତ୍ରିନାଥ ଦାସ ଓ ହୀନ ଦାସ ପ୍ରମୁଖ ସହଯୋଗ କରିଥିଲେ।ପ୍ରକାଶ ଥାଉକି ଅସହାୟ ପ୍ରଭାକରଙ୍କ ଏକ ମାତ୍ର ପୁଅ ପେଟ ପାଟଣା ସକାଶେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ଖଟୁଥିବା ବେଳେ ମାନସିକ ଅନଗ୍ରସର ଝିଅକୁ ନେଇ ପରିବାର ଚଳାଇବା କଠିନ ସମସ୍ୟା ସୃଷ୍ଟି କରିଛି । ରିକ୍ସା ଚଳାଇ ଭଡା ଘରେ ରହି ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ପ୍ରଭାକରଙ୍କୁ ଆବାସ ଯୋଜନାରେ ଗୃହ ଖଣ୍ଡିଏ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।ବ୍ଲକ ପ୍ରଶାସନର ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି ।

No Result
View All Result