ବିଡ଼ିଓ, ଯନ୍ତ୍ରୀ ଓ ସରପଞ୍ଚଙ୍କ ମଧୁ ଚନ୍ଦ୍ରିକା ରେ ବଳି ପଡ଼ିଲେ ବଜ୍ରକୋଟ ଗ୍ରାମ ପଞ୍ଚାୟତ ଗ୍ରାମବାସୀ
୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଙ୍କ ତରଫରୁ ଗୃହ ନିର୍ମାଣ ଲାଗି ୧୦ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଛି । ଗୃହ ନିର୍ମାଣ ପରେ ସେହି ଗୃହ ମଧ୍ୟରେ ବ୍ୟାଙ୍କ ଶାଖା ଖୋଲାଯାଇ ସେହି ଅଂଚଳର ଲୋକଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ରହିଛି । ରଣପୁର ବ୍ଲକ୍ ଅଧିନସ୍ଥ ବଜ୍ରକୋଟ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ

ଗୃହ ନିର୍ମାଣ ଲାଗି ମଞ୍ଜୁର ହୋଇଥିବା ୧୦ ଲକ୍ଷର ଆର୍ଥିକ ଅନୁଦାନ ରାଶିକୁ ସଠିକ୍ ସ୍ଥାନରେ ବ୍ୟବହାର କରାନଯାଇ ପଞ୍ଚାୟତ ଠାରୁ ୨.୫ କିମି ଦୂରରେ ଏହି ଗୃହ ନିର୍ମାଣ ହେଉଥିବାର ଜାଣିବା ପରେ ଶତାଧିକ ପୁରୁଷ ଓ ମହିଳା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଲିଖିତ ଭାବେ ଜଣାଇଥିଲେ ।

ପଞ୍ଚାୟତ କାର୍ଯ୍ୟାଳୟ ଟି ସମଗ୍ର ପଞ୍ଚାୟତର ମଧ୍ୟ ଭାଗରେ ରହିଥିବା ହେତୁ ଏହାର ପରିସର ମଧ୍ୟରେ ବ୍ୟାଙ୍କିଙ୍ଗ ସୁବିଧା କରାଗଲେ ସମଗ୍ର ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଦର୍ଶାଇବା ସହ ସ୍ଥାନୀୟ ସରପଞ୍ଚ ଏହାକୁ ଚଞ୍ଚକତା କରି ନିଜ ଗାଁରେ ଲୁକ୍କାୟିତ ଭାବେ ଏହି ସୁବିଧା ଉଦ୍ଦେଶ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଚଲାଇଥିବାର ଅଭିଯୋଗ ଆଣିଥିଲେ ।

ସରକାରଙ୍କ ଦ୍ବାରା ସୁବିଧା କରାଯାଇଥିବା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ କରାଯିବା ଲାଗି ଆନ୍ଦୋଳନକାରୀମାନେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ଏହାକୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ, ନୟାଗଡଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିବା ଜଣାଯାଇଛି ।













