୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଜେଡିର ବରିଷ୍ଠ ନେତା, ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ୱରର କେୟାର ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଭୋର୍ ୩ଟା ୨୫ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏଥିସହ ଓଡ଼ିଶାର ସାଧାରଣ ଜୀବନରୁ ଆଉ ଜଣେ ଲୋକପ୍ରିୟ ନେତା ଅପସରି ଯାଇଛନ୍ତି । ତାଙ୍କ ବିୟୋଗ ରାଜନୈତିକ ମହଲର ବିଶେଷ କରି ତାଙ୍କର ଜନ୍ମମାଟି ପୁରୀରେ ଶୋକର ଛାୟା ଖେଳାଇ ଦେଇଛି ।
ମହେଶ୍ୱର ମହାନ୍ତି ଗତ ନିର୍ବାଚନରେ ହାରିଥିଲେ ମଧ୍ୟ ମନ ତାଙ୍କର ହାରି ନଥିଲା । ପୁରୀବାସୀଙ୍କ ସୁଖଦୁଃଖରେ ନିଜକୁ ସାମିଲ ରଖିଥିଲେ । ପ୍ରତିଦିନ କୌଣସି ନା କୌଣସି ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଗତ ୧ ତାରିଖରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ସାରି ବିଳମ୍ବିତ ସଂଧ୍ୟାରେ ସେ ଘରକୁ ଫେରିଲା ପରେ ଭୀଷଣ ଅସୁସ୍ଥ ଅନୁଭବ କରି ଚେତାଶୂନ୍ୟ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଣାଯାଇ କେୟାର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଆଇସିୟୁର ରହି ଚିକିତ୍ସିତ ହେଉଥିଲେ ମଧ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା । ଗତକାଲି ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇଯାଇଥିଲା ।
୧୯୫୬ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ଭଲ ପାଠ ପଢିବା ସହ ଛାତ୍ର ରାଜନୀତିରେ ରୁଚି ରଖିଥିଲେ । ପୁରୀ ଏସସିସି କଲେଜର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ଏମଏ କରିଥିଲା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ଏନଏସିରୁ କାଉନସିଲର ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୮୫ରୁ ୧୯୯୦ ଏବଂ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇଥର ସେ ପୁରୀ ଏନଏସିର ଅଧ୍ୟକ୍ଷ ଥିଲେ ।
୧୯୯୫ ମସିହାରେ ଜନତା ଦଳ ଟିକେଟରେ ପ୍ରଥମ ଥର ପାଇଁ ପୁରୀରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ।

୨୦୦୦ ମସିହାରୁ ସେ ୨୦୧୯ ପର୍ଯ୍ୟନ୍ତ ଏହିଭଳି ୫ ଥର ସେ ଲଗାତର ପୁରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ରହିଥିଲେ । ପରବର୍ତ୍ତୀ ସମୟରେ ସେ ଏକାଧିକ ଥର ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଆଇନ, ଯୋଜନା ଓ ସମନୟ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଭାବେ ସ୍ୱର୍ଗତ ମହାନ୍ତି ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ ।
ମହେଶ୍ୱରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କେୟାର ହସ୍ପିଟାଲ୍ ରେ ରାଜନୈତିକ ଦଳର ନେତୃବୃନ୍ଦ, ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ପ୍ରବଳ ଭିଡ଼ ହୋଇଛି । କିଛି ସମୟ ମଧ୍ୟରେ ତାଙ୍କର ମୃତଦେହକୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଅଣାଯିବ । ଏହାପରେ ବିଧାନସଭା ପରିସର ଏବଂ ସେଠାରୁ ଶଙ୍ଖ ଭବନ ନିଆଯିବ । ସେଠାରୁ ସିଧା ପୁରୀ ତାଙ୍କ ବାସଭବନକୁ ନିଆଯାଇ ଜନସାଧାରଣଙ୍କ ଶେଷଦର୍ଶନ ନିମନ୍ତେ ରଖାଯିବ । ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।













