No Result
View All Result

୨୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ହିନ୍ଦୁ ପୁରାଣ ଓ ଲୋକ ମାନ୍ୟତା ଅନୁଯାୟୀ ନବରାତ୍ର ଏବଂ ବିଜୟାଦଶମୀକୁ ନେଇ ଅନେକ ବିଶ୍ୱାସ ରହିଛି । ସବୁର ମୂଳ କଥା ସତ୍ୟ ଉପରେ ଅସତ୍ୟର ବିଜୟ । ଏ ସମ୍ପର୍କିତ କିଛି ପୌରାଣିକ ସୂଚନା : ମହିଷାସୁର ଓ ଦେବୀ ଦୁର୍ଗା : ହିନ୍ଦୁ ପୁରାଣ ଅନୁଯାୟୀ ମହିଷାସୁର ନାମକ ରାକ୍ଷସ ତପସ୍ୟାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି କୌଣସି ମଣିଷ ବା ଦେବତାଙ୍କ ଦ୍ୱାରା ହତ ନ ହେବାର ବର ପ୍ରାପ୍ତ ହେଲା । ଏହି ଅମୂଲ୍ୟ ବର ମିଳିବା ପରେ ସେ ଶକ୍ତିରେ ମତ ହୋଇ ନିଜକୁ ସର୍ବଶକ୍ତିମାନ ମନେ କଲା । ଏହାପରେ ସେ ତିନିଲୋକରେ ଆତଙ୍କର ବାତାବରଣ ସୃଷ୍ଟି କଲା । ପାତାଳ ଓ ପୃଥିବୀ ଉପରେ ବିଜୟ ଲାଭ କରିବା ପରେ ସେ ଇନ୍ଦ୍ରଲୋକ ଅଧିକାର କରିବା ପାଇଁ ବାହାରିଲା । ସ୍ୱର୍ଗରୁ ସବୁ ଦେବତାଙ୍କୁ ବିତାଡ଼ିତ କରିଦେଲା ।
ଦେବତାମାନେ ବ୍ରହ୍ମ, ବିଷ୍ଣୁ ଓ ମହେଶ୍ୱରଙ୍କ ଶରଣ ପସିଲେ । ସେମାନଙ୍କ ଗୁହାରି ଶୁଣି ବିଷ୍ଣୁ ଏବଂ ଶିବ ନିଜର ଶକ୍ତିକୁ ଏକାଠି କରି ଜଣେ ଶକ୍ତିଶାଳୀ ଦେବୀ ସୃଷ୍ଟି କଲେ । ତ୍ରିଦେବଙ୍କ ବ୍ୟତୀତ ଯମ, ଚନ୍ଦ୍ରମା, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଆଦି ଅନେକ ଦେବତା ନିଜର ଶକ୍ତି ଏବଂ ଅସ୍ତ୍ର ପ୍ରଦାନ କଲେ ଉକ୍ତ ଦେବୀଙ୍କୁ । ଦେବତାମାନଙ୍କ ଶକ୍ତିରୁ ସୃଷ୍ଟି ହୋଇଥିବାରୁ ତାଙ୍କ ନାମ ରଖାଗଲା ଶକ୍ତି ବା ଦୁର୍ଗା । ଦୁର୍ଗାଙ୍କୁ ଦେଖିବା ପରେ ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ମହିଷାସୁର ତାଙ୍କୁ ବିବାହ କରିବାକୁ ଚାହିଁଲା । ଦୁର୍ଗା କହିଲେ, ମତେ ଯୁଦ୍ଧରେ ପରାସ୍ତ କଲେ ମୁଁ ବିବାହ କରିବି । ଯୁଦ୍ଧ ଆରମ୍ଭ ହେଲା ଏବଂ ନଅଦିନ ଚାଲିଲା । ଶେଷରେ ମହିଷାସୁର ପରାସ୍ତ ହେଲା । ଦୁର୍ଗା ନିଜ ବାମଗୋଡ଼ରେ ମହିଷାକୁ ମାଡ଼ିବସି ତ୍ରିଶୂଳରେ ତା’ର ଛାତିକୁ ବିଦ୍ଧ କଲେ ।

ଏହି ୯ଦିନର ଯୁଦ୍ଧ ନବରାତ୍ର ଭାବରେ ଖ୍ୟାତ । ଦଶମ ଦିନ ବିଜୟର ଖୁସିରେ ଦେବତାମାନେ ବିଜୟା ଦଶମୀ ମନାଇଲେ । ଅମ୍ବିକା ଓ ଶୁମ୍ଭ-ନିଶୁମ୍ଭ: ଏହାପରେ ପୁଣିଥରେ ଶୁମ୍ଭ- ନିଶୁମ୍ଭ ନାମକ ଦୁଇଜଣ ରାକ୍ଷସ ପ୍ରବଳ ଶକ୍ତିଶାଳୀ ହୋଇ ଦେବତାମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ପରାସ୍ତ କଲେ । ଦେବତାମାନେ ପୁଣିଥରେ ଦେବୀଙ୍କ ଶରଣାପନ୍ନ ହେଲେ । ଏଥର ଦେବୀ କୌଶିକା ଦୁର୍ଗା ବା ଅମ୍ବିକାଙ୍କ ରୂପ ନେଲେ । ଅମ୍ବିକାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ରାକ୍ଷସମାନେ ତାଙ୍କୁ ବିବାହ କରିବାକୁ ଚାହିଁଲେ । ଦେବୀ କହିଲେ, ଯିଏ ମୋତେ ଯୁଦ୍ଧରେ ପରାସ୍ତ କରିବ ମୁଁ ତାକୁ ବିବାହ କରିବି । ଦେବୀଙ୍କୁ ବିବାହ କରିବା ପାଇଁ ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀଜ ଆଦି ରାକ୍ଷସମାନେ ତାଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ ।
ଶେଷରେ ଆସିଲେ ଶୁମ୍ଭ ଓ ନିଶୁମ୍ଭ । ଦେବୀ ସେମାନଙ୍କୁ ମଧ୍ୟ ହତ୍ୟା କଲେ । ଏହି ଦିନ ଥିଲା ବିଜୟା ଦଶମୀ । ଚାମୁଣ୍ଡା: ଦୁର୍ଗାଙ୍କ ମଥାରୁ ଭୟଙ୍କର ଏବଂ କୃଷ୍ଣବର୍ଣ୍ଣା ଦେବୀ କାଳୀ ସୃଷ୍ଟି ହେଲେ । ଚଣ୍ଡ ଓ ମୁଣ୍ଡଙ୍କ ଶୀରଚ୍ଛେଦ କରିଥିବାରୁ ସେ ଚାମୁଣ୍ଡା ଭାବରେ ଖ୍ୟାତ ହେଲେ । କିନ୍ତୁ ଦେବୀ ଯେତେବେଳେ ରକ୍ତବୀଜ ସହ ଲଢ଼ିଲେ ସେତେବେଳେ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିଲା । କାରଣ ରକ୍ତବୀଜର ଶରୀରରୁ ବାହାରୁଥିବା ରକ୍ତ ବୁନ୍ଦା ଭୂମିସ୍ପର୍ଶ କରିବା ମାତ୍ରେ ଆଉ ଏକ ରାକ୍ଷସ ସୃଷ୍ଟି ହେଉଥିଲା । ଏହିଠାରେ କାଳୀ ଦୁର୍ଗାଙ୍କୁ ସହଯୋଗ ଦେଇଥିଲେ ରକ୍ତବୀଜ ଦେହରୁ ବୋହୁଥିବା ସବୁ ରକ୍ତକୁ ଶୋଷିନେଇ କାଳୀ ଝରୁଥିବା ରକ୍ତ ଶୋଷିନେବାରୁ ଆଉ ଏକ ରକ୍ତବୀଜ ସୃଷ୍ଟି ହୋଇପାରୁନଥିଲା ।

ଫଳରେ ଦୁର୍ଗା ରକ୍ତବୀଜକୁ ହତ୍ୟା କରିପାରିଲେ । ନିଶୁମ୍ଭକୁ ହତ୍ୟା କରିବା ପରେ ଦେବୀ ଅନ୍ୟର ସାହାର୍ଯ୍ୟ ନେଉଛନ୍ତି ବୋଲି ଶୁମ୍ଭ ଅଭିଯୋଗ କଲା । ଏହାପରେ ଦେବୀ ନିଜର ଶକ୍ତିମାନଙ୍କୁ ଏକାଠି କରି ନିଜ ଶହ ମିଶାଇ ଦେଲେ ଏବଂ ଯୁଦ୍ଧରେ ଶୁମ୍ଭକୁ ହତ୍ୟା କଲେ । ପ୍ରତି ଯୁଗରେ ଦୁର୍ଗା: ହିନ୍ଦୁପୁରାଣ ଅନୁଯାୟୀ ପ୍ରତ୍ୟେକ ଯୁଗରେ ଶକ୍ତି ଆରାଧନାର ପରମ୍ପରା ରହିଛି । ବିଭିନ୍ନ ଯୁଗରେ ଶକ୍ତି ଆରାଧନା ସଂପର୍କରେ ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ହୋଇଛି । ଏହି ପୁରାଣ ଅନୁଯାୟୀ ସତ୍ୟଯୁଗରେ ରାଜା ସୁରଥ ନିଜର ଆଧ୍ୟାତ୍ମିକ ମାର୍ଗଦର୍ଶକ ମହର୍ଷି ମେଧାଙ୍କ ପରାମର୍ଶକ୍ରମେ ଦୁର୍ଗାଙ୍କୁ ତପସ୍ୟା କରି ିଜର ହୃତ ସାମ୍ରାଜ୍ୟ ଫେରି ପାଇଥିଲେ ।
ତ୍ରେତୟା ଯୁଗରେ ଜନକ ନନ୍ଦିନୀ ସୀତା ରାମଚନ୍ଦ୍ରଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଦେବୀ ବିରଜାଙ୍କୁ ପୂଜା କରିଥିଲେ । ଦ୍ୱାପର ଯୁଗରେ ଗୋପୀମାନେ କାତ୍ୟାୟନୀ ଦେବୀଙ୍କୁ ଆରାଧନା କରି ଭଗବାନ କୃଷ୍ଣଙ୍କୁ ନିଜର ଆଧ୍ୟାତ୍ମିକ ପ୍ରେମିକ ଭାବରେ ପାଇଥିଲେ । ଦୁର୍ଗାଙ୍କ ଆଶୀର୍ବାଦରୁ ରୁକ୍ମିଣୀ ଭଗବାନ କୃଷ୍ଣଙ୍କୁ ବିବାହ କଲେ ଏବଂ କୃଷ୍ଣ ଶିଶୁପାଳକୁ ପରାସ୍ତ କଲେ । କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ପୂର୍ବରୁ କୃଷ୍ଣଙ୍କ ଉପଦେଶକ୍ରମେ ଅର୍ଜୁନ ଦେବୀ ଦୁର୍ଗାଙ୍କୁ ଆରାଧନା କରି ତାଙ୍କଠାରୁ କର୍ଣ୍ଣ ଉପରେ ବିଜୟର ବରପ୍ରାପ୍ତ ହୋଇଥିଲେ । କଳିଯୁଗରେ ରାମକୃଷ୍ଣ ପରମହଂସ ଏବଂ ନିଗମାନନ୍ଦଙ୍କ ପରି ମହାନ୍ ସାଧକ ଏବଂ ଆଧ୍ୟାତ୍ମିକ ଗୁରୁମାନେ ଦେବୀଙ୍କ ଆଶୀର୍ବାଦପ୍ରାପ୍ତ ହୋଇଥିବା କୁହାଯାଏ ।

ଦୁର୍ଗା ଓ କଂସ: ଯେତେବେଳେ କଂସର ବନ୍ଦୀଶାଳାରେ କୃଷ୍ଣ ଜନ୍ମ ହେଲେ ସେତେବେଳେ ନନ୍ଦପୁରରେ ଯଶୋଦାଙ୍କ କୋଳରେ ଦୁର୍ଗା କାତ୍ୟାୟନୀ ରୂପରେ ଜନ୍ମ ନେଲେ । ବସୁଦେବ ଶିଶୁ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଦେଇ କାତ୍ୟାୟିନୀଙ୍କୁ ନେଇ ମଥୁରା ଫେରିଲେ । କଂସ ପାଖରେ ଦେବକୀଙ୍କ ସନ୍ତାନ ଜନ୍ମର ଖବର ପହଞ୍ôଚବା ମାତ୍ରେ ସେ ସେଠାରେ ପହଞ୍ôଚ ଶିଶୁକନ୍ୟାକୁ ଶିଳାରେ ପିଟି ମାରିବାକୁ ଚେଷ୍ଟା କଲା । କିନ୍ତୁ କାତ୍ୟାୟନୀ ତଳେ ନ ପଡ଼ି ଉପରକୁ ଉଠିଲେ ଏବଂ କଂସକୁ ଜଣାଇଲେ ସେ ଦୁର୍ଗା । ଏଥିସହ କୃଷ୍ଣଙ୍କ ଦ୍ୱାରା ନିହତ ନହେବା ପାଇଁ ନିଜକୁ ବଦଳାଇବାକୁ ସେ କଂସକୁ ସତର୍କ କରିଦେଲେ । ରାମ ଓ ଦେବୀ ଦୁର୍ଗା: ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାବଣ ସହ ଯୁଦ୍ଧ କରିବା ପୂର୍ବରୁ ରାମ ଦୁର୍ଗାଙ୍କ ଆଶୀର୍ବାଦ ନେଇଥିଲେ ।
ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ୧୦୮ଟି ନୀଳ ପଦ୍ମ ଆବଶ୍ୟକ ଥିଲା, କିନ୍ତୁ ୧୦୭ଟି ମିଳିଲା । ଅବଶିଷ୍ଟ ଗୋଟିଏ ପଦ୍ମ ପାଇଁ ରାମ ନିଜର ନୀଳ ନୟନ ଦେବୀ ଦୁର୍ଗାଙ୍କୁ ଅର୍ପଣ କରିବାକୁ ଉଦ୍ୟତ ହେଲେ । ରାମଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କୁ ବିଜୟର ବରଦାନ ଦେଲେ । ରାବଣ ଅଷ୍ଟମୀ ଓ ନବମୀ ତିଥିର ସନ୍ଧିକ୍ଷଣରେ ନିହତ ହେଲେ । ବିଜୟା ଦଶମୀ ଦିନ ତାଙ୍କର ଶେଷକୃତ୍ୟ ସମାପନ କରାଗଲା । ପାଣ୍ଡବ ଓ ସମୀବୃକ୍ଷ ବାର ବର୍ଷର ବନବାସ ପରେ ଗୋଟିଏ ସମୀବୃକ୍ଷର କୋରଡ଼ରେ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ରଖି ବର୍ଷକର ଅଜ୍ଞାତବାସ ପାଇଁ ପାଣ୍ଡବମାନେ ବିରାଟ ରାଜାଙ୍କ ରାଜ୍ୟକୁ ପ୍ରବେଶ କଲେ ।

ଗୋଟିଏ ବର୍ଷ ଶେଷ ହେବା ପରେ ସେମାନେ ସମୀବୃକ୍ଷ କୋରଡ଼ରୁ ଅସ୍ତ୍ରଶସ୍ତ୍ର ବାହାର କରି ନିଜର ପ୍ରକୃତ ପରିଚୟ ଦେଲେ । ଏହି ଦିନ ଥିଲା ଦଶହରା । ସେବେଠାରୁ ଦଶହରା ଦିନରେ ଲୋକମାନେ ପରସ୍ପରକୁ ସମୀପତ୍ର ଦିଅନ୍ତି । ଏହା ଶୁଭେଚ୍ଛୁ ଓ ବିଜୟର ପ୍ରତୀକ । କୌସ୍ତ ଓ ଗୁରୁଦକ୍ଷିଣା: ନିଜର ବିଦ୍ୟା ଗ୍ରହଣ ପରେ ଦେବଦତ୍ତଙ୍କ ପୁଅ କୌସ୍ତ ଗୁରୁ ଭରତେନ୍ଦୁଙ୍କୁ ଗୁରୁଦକ୍ଷିଣା ଦେବାକୁ ବାହାରିଲେ । ଗୁରୁ କୌସ୍ତଙ୍କୁ ଶିଖାଇଥିବା ଚଉଦଟି ବିଜ୍ଞାନ ପାଇଁ ଚଉଦ କୋଟି ସ୍ୱର୍ଣ୍ଣମୁଦ୍ରା ମାଗିଲେ । କୌସ୍ତ ଏହି ଗୁରୁଦକ୍ଷିଣା ମାଗିବା ପାଇଁ ଦାନୀ ରାଜା ରଘୁରାଜଙ୍କ ପାଖକୁ ଗଲେ ।
କିନ୍ତୁ ସେତେବେଳକୁ ବ୍ରାହ୍ମଣମାନଙ୍କୁ ନିଜର ସବୁ ଧନ ଦାନ କରିସାରିଥିଲେ ରଘୁରାଜ । ତେଣୁ କୌସ୍ତଙ୍କୁ ୧୪ କୋଟି ସ୍ୱର୍ଣ୍ଣମୁଦ୍ରା ଦେବା ପାଇଁ ରଘୁ ଇନ୍ଦ୍ରଙ୍କ ଠାରୁ ଏହା ମାଗିବାକୁ ଗଲେ । ଇନ୍ଦ୍ରଙ୍କ ଆଦେଶକ୍ରମେ କୁବେର ରାଜା ରଘୁଙ୍କ ରାଜ୍ୟ ଅଯୋଧ୍ୟାର ପ୍ରତ୍ୟେକ ଶାନୁ ଏବଂ ଅପତି ଗଛ ଉପରେ ସ୍ୱର୍ଣ୍ଣମୁଦ୍ରା ବର୍ଷା କଲେ । ଏ ସମସ୍ତ ସ୍ୱର୍ଣ୍ଣମୁଦ୍ରା ରଘୁ କୌସ୍ତଙ୍କୁ ପ୍ରଦାନ କଲେ । କୌସ୍ତ ଗୁରୁଙ୍କୁ ୧୪ କୋଟି ସ୍ୱର୍ଣ୍ଣମୁଦ୍ରା ଦେବା ପରେ ବଳକା ମୁଦ୍ରା ଅଯୋଧ୍ୟାବାସୀଙ୍କ ମଧ୍ୟରେ ବାଣ୍ଟିଦେଲେ । ଏହି ଦିନ ଥିଲା ଦଶହରା । ସେବେଠାରୁ ଦଶହରା ଦିନରେ ଅଯୋଧ୍ୟାର ଲୋକମାନେ ଅପତି ଗଛର ପତ୍ର ତୋଳି ପରସ୍ପରକୁ ଉପହାର ଦିଅନ୍ତି ।
ଲେଖକ :- ବାସନ୍ତୀ ଆଚାର୍ଯ୍ୟ ପ୍ଲଟ ନଂ-୪୨୧୦, ତଳ ସବର ସାହି, ଗାଡ଼କଣ

No Result
View All Result