୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସ୍ଥିତ ଜଙ୍ଗଲ,ପରିବେଶ ଓ ପରିବେଶ ପରିବର୍ତ୍ତନ ବିଭାଗ ଅଧିନ ବନପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳରେ ରବିବାର ବାରହା ମାଂସ ବିକ୍ରି ହୋଇଥିବା ଜଣାପଡିଛି । ହିଞ୍ଜିଳି କାଟୁ ସେକ୍ସନ ନନ୍ଦିକ ବିଟ ଅଞ୍ଚଳରେ ଥିବା ଏକ ଗ୍ରାମରେ କିଛି ବନ୍ୟଜନ୍ତୁ ଶିକାରୀ ୨ ଟି ବାରହାକୁ ଶିକାର କରି ଗ୍ରାମରେ ମାଂସ କରିଥିବା ଜଣାପଡ଼ିଛି । ଗ୍ରାମର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଶିକାରୀ ବାରହା ମାଂସ ବିକ୍ରି କରିଥିଲେ । ଏନେଇ ବନ ବିଭାଗ ଅଧିକାରୀଙ୍କୁ ଗୋପନୀୟ ଭାବେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା । ଖବର ପାଇ ସ୍ଥାନୀୟ ବନବିଭାଗ କର୍ମଚାରୀ ବିଳମ୍ବରେ ଗ୍ରାମରେ ପହଞ୍ଚି ଅନୁସନ୍ଧାନ କରିଥିଲେ । କିନ୍ତୁ ବାରହା ଶିକାରୀ ଚତୁରତାର ସହ ଖୁଲମ ଖୋଲା ମାଂସ ବିକ୍ରି କାମ ସାରି ନିର୍ବିଘ୍ନ ଓ ନିଶ୍ଚିନ୍ତରେ ଥିବା ଜଣା ପଡ଼ିଛି ।
ଏଣେ ଧର୍ମକୁ ଆଖି ଠାର ପରି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏଭଳି ସମ୍ବେଦନଶୀଳ ଘଟଣାରେ ହାତ ଝାଡ଼ି କାମ ସାରି ଦେଇଥିବା ଜଣା ପଡ଼ିଛି । ସମ୍ପ୍ରତି ବନାଞ୍ଚଳର ବିଭିନ୍ନ ଗ୍ରାମର ଜମିରେ ଚାଷୀ ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରି ପରିବାର ପରିପୋଷଣ କରିବାରେ ବ୍ୟସ୍ତ ଅଛନ୍ତି । ନିକଟ ପାହାଡ଼ରେ ରହୁଥିବା ବନ୍ୟଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଚାଷ ଜମି ମୁହାଁ ହୋଇ ଶିକାରୀଙ୍କ ଶିକାର ହେଉଥିବା ନଜିର ରହିଛି । ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଖର୍ଚ୍ଚ କରାଯାଇ ବିଭିନ୍ନ ଯୋଜନା ଓ ପଦକ୍ଷେପମାନ ଗ୍ରହଣ କରାଯାଇଛି।କିନ୍ତୁ ସ୍ଥାନୀୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା, ଯୋଜନାର ପରିଚାଳନା ଏବଂ କୋହଳ ନୀତି ଯୋଗୁଁ ଆଇନର ଗଳା ବାଟରେ ଶିକାରୀ ଖସି ଯାଉଥିବା ପୂର୍ବ ଘଟଣାବଳୀରୁ ଜଣା ପଡ଼ିଛି ।ଫଳରେ ଅବାଧ ବନ୍ୟଜନ୍ତୁ ଶିକାର ଓ ଶିକାରୀଙ୍କ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ବିଭାଗର ଦୃଷ୍ଟି ଗୋଚର ଓ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ ହୋଇଛି । ଏଣୁ ବିଭାଗୀୟ ଅଧିକାରୀ ଅବାଧ ବନ୍ୟଜନ୍ତୁ ଶିକାର ଉପରେ ତତ୍ପରତା ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।














