୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଓଡ଼ଗାଁ :-> ଓଡ଼ଗାଁ, ଧରାପୃଷ୍ଠରେ ବିରାଜମାନା କରିଛନ୍ତି ପ୍ରଭୁ ଗଜାନନ । ଗାଁଠୁ ସହରର ସବୁଠି ହୋଇଉଠିଛି ଚଳଚଞ୍ଚଳ । ଆଖି ଝଲସା ମେଢ଼ ସାଜସଜ୍ଜା ହୋଇଛି । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । କେଉଁଠି ସପ୍ତାହେ ତ କେଉଁଠି ଅଧିକ ଦିନ ଧରି ଚାଲିବ ଗଣପତିଙ୍କ ପୂଜା । ମେଢବୁଲିବାକୁ ଲୋକ ବି ଭିଡ଼ ଜମାଉଛନ୍ତି ।ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଛି । ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ । ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ । ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ।

ଗଣେଶ ଅର୍ଥାତ୍ ଗଣ-ଈଶ “ଗଣ” ସଂଖ୍ୟାବାଚୀ ଶବ୍ଦ । ଅନେକେ କହନ୍ତି, ଗଣ ମାନେ ଜନଗଣ, ଅର୍ଥାତ୍ ମଣିଷର ସମଷ୍ଟି । କିନ୍ତୁ କେବଳ ମଣିଷ କାହିଁକି, ଗଣ କହିଲେ ଯାହା କିଛି ସବୁ ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତା, ସକଳ ପଦାର୍ଥ ଏଇ ସବୁକିଛିର ଯିଏ ଈଶ (ଅଧିପତି), ସିଏ ହିଁ ଗଣେଶ । ଈଶ’ ଶବ୍ଦର ଉତ୍ପତ୍ତି ସଂସ୍କୃତ “ଇଶ-ଧାତୁରୁ”, ମାନେ ଆଧିପତ୍ୟ । ଆଧିପତ୍ୟ ମଧ୍ୟରେ ଅଛି ଅଧିପତି । ଅଧିପତି ପୁଣି ଦୁଇଟି ଶବ୍ଦରେ ତିଆରି ଅଧି ଓ ପତି । ଅଧି ର ଉତ୍ପତ୍ତି ସଂସ୍କୃତ ଧା-ଧାତୁରୁ, ଅର୍ଥାତ୍ ଧାରଣ ଏବଂ ପତି-ର ଉତ୍ପତ୍ତି ପା-ଧାତୁରୁ, ଅର୍ଥ ପାଳନ । ତା’ହେଲେ ଅଧିପତି ମାନେ ଯିଏ ଧାରଣ-ପାଳନ କରନ୍ତି । ତେବେ ‘ଗଣେଶ’ ଶବ୍ଦର ସମୂହାର୍ଥ ହେଲା ସୃଷ୍ଟିର ଯାବତୀୟ ଯା’ ସବୁ କିଛିକୁ ଯିଏ ଧାରଣ, ପାଳନ ଓ ପୋଷଣ କରନ୍ତି । ଏଇ କାରଣରୁ, ଯେ କୌଣସି ଦେବପୂଜାରେ ପ୍ରଥମେ ଗଣେଶଙ୍କର ପୂଜା ହୁଏ । ସେ ତ ସମସ୍ତଙ୍କର ଧାରୟିତା ଓ ପାଳୟିତା । ତାଙ୍କୁ ଅର୍ଘ୍ୟ ଦେଇ ପ୍ରଣାମ କରିସାରିଲେ ଅନ୍ୟ ଦେବତାଙ୍କର ପୂଜା ଆରମ୍ଭ ହୁଏ । ତାଙ୍କର ଆଉ ଏକ ନାମ ଗଣପତି ଗଣର ପାଳନ ଓ ରକ୍ଷଣକର୍ତ୍ତା । ସେ ସୃଷ୍ଟିର ବା ଧ୍ଵଂସର କାରଣ ନୁହଁନ୍ତି, ବରଂ ରକ୍ଷାର କାରକ । ତେଣୁ,ସର୍ବାଗ୍ରେ ତାଙ୍କର ଆବାହନ ।

ଗଣେଶଙ୍କର ପିତା ଶିବ ଏବଂ ମାତା ଦୁର୍ଗା । ଶିବ ଅର୍ଥାତ୍ ଯିଏ ମଙ୍ଗଳସ୍ବରୂପ। ତାଙ୍କଠାରୁ ଆବିର୍ଭୁତ ଗଣେଶ ବା ଗଣପତି । ଗଣକୁ ଯିଏ ପାଳନ ଓ ରକ୍ଷଣାବେକ୍ଷଣ କରିବେ, ସେ ଅବଶ୍ୟହିଁ ମଙ୍ଗଳକ ନହେଲେ ଅମଙ୍ଗଳହିଁ ହେବ । ଆଉ, ଅମଙ୍ଗଳ ଆଣିବ ଜୀର୍ଣ୍ଣତା, ଜରା, ବିଚ୍ଛିନ୍ନତା ଓ ବିନାଶ । କିନ୍ତୁ ଗଣେଶ ତ ସ୍ଥିତି ଓ ରକ୍ଷାରହିଁ କର୍ତ୍ତା । ସେ ଶିବସମ୍ଭବ, ମଙ୍ଗଳରୁ ଜାତ । ଜନନୀ ତାଙ୍କର ଦୁର୍ଗା । ଦୁର୍ଗା ମାନେ ଜୀବନର ଦୁର୍ଗସ୍ବରୂପା ଯିଏ, ଯାହାଙ୍କ ନିକଟରେ ସମସ୍ତ ଅଶୁଭଶକ୍ତି ପ୍ରତିହତ, ବିପର୍ଯ୍ୟସ୍ତ ଓ ବିନଷ୍ଟ ହୁଏ । ସମସ୍ତ ଅକଲ୍ୟାଣର ବିରୁଦ୍ଧରେ ଦୁର୍ଗ ହୋଇ ଯିଏ ଥାଆନ୍ତି, ସେ ହିଁ ତ ମା’ ଦୁର୍ଗା । ଗଣେଶଙ୍କ ଜନନୀ ସିଏ । ଏଇଭଳି ମା’ ନ ହେଲେ କ’ଣ ଏପରି ପୁଅ ଜନ୍ମ ହୋଇପାରେ ? ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଗଣର ଧାରକ ଓ ପାଳକ ଯିଏ ହେବେ ତାଙ୍କ ମଧ୍ୟରେ କଲ୍ୟାଣକାରୀ ଏବଂ ଅସତ୍-ନିରୋଧୀ ଶକ୍ତି ଉଭୟହିଁ ବିଦ୍ୟମାନ । ଗଣେଷଙ୍କର ପିତାମାତା ଶିବ ଓ ଦୁର୍ଗା ହେବାର ତାତ୍ପର୍ଯ୍ୟ ଏହାହିଁ ।

ଗଣେଶଙ୍କୁ ସିଦ୍ଧିଦାତା କୁହାଯାଏ ତାଙ୍କୁ ପୂଜା କଲେ ସିଦ୍ଧି ଲାଭ ହୁଏ । ଏଇ ସିଦ୍ଧି କ’ଣ ? ବୋଧହୁଏ, ମନସ୍କାମନା-ସିଦ୍ଧି ସମ୍ପର୍କରେହିଁ କଥାଟାର ବ୍ୟବହାର ହୁଏ । ଏଇ ସିଦ୍ଧି ମଧ୍ୟରେ ସିଦ୍ଧ ହେବାର ଭାବ ଅଛି ସିଦ୍ଧ ହେବା ମାନେ କାମରେ, କଥାରେ, ଚାଲିବାରେ ଦକ୍ଷକୁଶଳ ହେବା । ଯେଉଁ ବ୍ୟକ୍ତି କୁଶଳକୌଶଳୀ ହୋଇ ଚାଲିପାରେ, କହିପାରେ, କାମ କରିପାରେ, ସେ ଜୀବନରେ ହଟିଯାଏନା, ପ୍ରତାରିତ ବି ହୁଏନା । ଏଭଳି ହେବାକୁ କିଏ ବା ନଚାହେଁ ? ଏଇଭଳି ଚଳନକୁ ଅଧିଗତ କରିବାହିଁ ହେଲା ସିଦ୍ଧିଲାଭ କରିବା । ଗଣପତି ଯିଏ, ସବୁର ସ୍ଥିତି, ଧାରକ ଓ ପାଳକ ଯିଏ, ତାଙ୍କରି ପୂଜାର ଭିତର ଦେଇ ତାଙ୍କର ସେହି ଧାରଣପାଳନୀ ଶକ୍ତି ଆମ୍ଭମାନଙ୍କର ବି ଲାଭ ହୁଏ ।

ଗଣେଶ-ଓଲଟିବା ନେଇ ଗୋଟିଏ କଥା ଆମ ସମାଜରେ ଅଛି । ବ୍ୟବସାୟୀମାନେ ଗଣେଶ ପୁଜା କରନ୍ତି । ସେମାନଙ୍କର ଗଣେଷ ଓଲଟିବା ମାନେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା । ଗଣପାତା ଯିଏ, ଯିଏ ଲୋକବିନାୟକ, ତାଙ୍କର ବିଧାନକୁ ଅବହେଳା କରି ଯେତେବେଳେ ଆମ୍ଭେମାନେ ତାର ବିପରୀତ ଚଳନରେ ଚାଲୁ ସେତେବେଳେହେଁ ଆମଜୀବନରେ ଗଣେଶ ଓଲଟିପଡ଼ନ୍ତି, ଆଉ ଜୀବନରେ ନାନା ପ୍ରକାରର ବିପତ୍ତି ଆସେ । ତେଣୁ, ଗଣେଶ-ଓଲଟିବା ମାନେ ମଣିଷର କଲ୍ୟାଣବିଧାତା ଯିଏ ତାଙ୍କୁ ଅବଜ୍ଞା କରିବା, ତାଙ୍କର ବିଧାନକୁ ତାଚ୍ଛଲ୍ୟ କରିବା । ଏଠାରେ ଗୋଟେ କଥା ଉଠେ । ଗଣପତିଙ୍କ ପୂଜା କିପରି ? ରୋଜ ସନ୍ଧ୍ୟାରେ ତାଙ୍କ ସାମନାରେ ଟିକେ ଧୂଆଁ ଧୂପ ଦେବା ବା ପ୍ରଦୀପ ନଚାଇବା ? ନା ବର୍ଷକୁ ଗୋଟେ ଦିନ ଧୂମଧାମ ସହକାରେ ବାଦ୍ୟ-ଅର୍ଘ୍ୟ ସହକାରେ ଗଣେଶ ପୂଜା କରିବା ।

“ପୂଜା” କହିଲେ କେବଳ ମାତ୍ର ଧୂପଦୀପ, ଫୁଲ, ଚନ୍ଦନ ସହଯୋଗରେ ସାମୟିକ ଗୋଟିଏ ଅନୁଷ୍ଠାନ ବୋଲି ବୁଝନ୍ତି ନାହିଁ ।ପୂଜାଶବ୍ଦସ୍ଥିତ ପୂଜ୍ ଧାତୁର ମାନେ ସମ୍ବର୍ଦ୍ଧନା । ଯାହାଙ୍କୁ ପୂଜା କରୁଛି, ତାଙ୍କରି ଗୁଣାବଳୀ ନିଜ ଜୀବନରେ ଓ ଚରିତ୍ରରେ ମୂର୍ଣ୍ଣ କରି ତୋଳିବା ଦରକାର । ସିଏ ଯେଭଳି ଚାହାନ୍ତି ସେଇଭାବେ ଚାଲି ତାଙ୍କୁ ଅନ୍ତରରେ ପ୍ରତିଷ୍ଠା କରିବାରେହିଁ ପୂଜାର ସାର୍ଥକତା । ଏହା ନକରି ହଜାରେ ନୈବେଦ୍ୟ ସଜାଇଲେ ବା ଆଲୋକ ସଜ୍ଜା କରାଇଲେ ସେଥିରେ ପୂଜା ହେବ ନାହିଁ । ଗଣେଶ ପୂଜାର ମାନେ ବି ହେଲା, ଗଣପତିଙ୍କର ଚଳନ-ଚରିତ୍ର, ତାଙ୍କର ଧାରଣ-ପାଳନୀ ସମ୍ବେଗ ନିତ୍ୟ ଅନୁଶୀଳନର ମଧ୍ୟ ଦେଇ ନିଜ ଜୀବନରେ ମୂର୍ତ୍ତ କରି ତୋଳିବା । ଯେଉଁ ଚଳନ ଦ୍ବାରା ଗଣେଶ ଗଣ-ଈଶ ହୋଇ ଉଠିଛନ୍ତି, ମୋତେ ବି ସେଇ ଚଳନରେ ଚାଲିବାକୁ ହେବ । ଏଇ ଅନୁଶୀଳନ ପାଇଁ ପ୍ରୟୋଜନ ଏକାନୁରକ୍ତି, ତୀବ୍ରତା ଓ କ୍ରମାଗତି । ଏଇ ତିନୋଟିର ସମନ୍ବୟୀ ଚଳନହିଁ ମଣିଷକୁ ସିଦ୍ଧିର ସିଂହ ଦ୍ଵାରରେ ପହଞ୍ଚାଇ ଦେଇପାରେ ।















