୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ଅଶାନ୍ତି ବାତାବରଣ ମଧ୍ୟରେ ଗତି କରୁଥିବା ଜଣା ପଡ଼ିଛି।ପୂର୍ବରୁ ସମ୍ପୃକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ପୁରାତନ ବିଦ୍ୟାଳୟ ଭାବେ ପ୍ରତିଷ୍ଠା ଲାଭ କରି ସୁନାମ ଅର୍ଜନ କରିଥିବା ବେଳେ ଗତ କିଛି ଦିନ ଧରି ବିଭିନ୍ନ କାରଣରୁ ବିଶୃଙ୍ଖଳା ସୃଷ୍ଟି ହୋଇ ଏକ ଅପ୍ରୀତିକର ପରିସ୍ଥିତି ମଧ୍ୟରେ ଗତି କରୁଥିବା ଜଣା ପଡ଼ିଛି।ବିଦ୍ୟାଳୟ ଗୁଡିକରେ ଉତ୍ତମ ଶୈକ୍ଷିକ ବାତାବରଣ ସହ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ବିଭିନ୍ନ ସମୟରେ ଅନୁଦାନ ପାଣ୍ଠିରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥପ୍ରଦାନ ବ୍ୟବସ୍ଥା କରିଛନ୍ତି।ଏକ ଶୃଙ୍ଖଳିତ ପରିବେଶ ତଥା ବିଦ୍ୟାଳୟରେ ଅଧ୍ୟୟନ ରତ ଶିକ୍ଷାର୍ଥୀଙ୍କ ଗୁଣାତ୍ମକ ଶିକ୍ଷାଦାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ବିଦ୍ୟାଳୟ ଗୁଡିକରେ ଗଠିତ ହୋଇଛି ବିଦ୍ୟାଳୟ ପରିଚାଳନା କମିଟି।
କିନ୍ତୁ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଗତ କିଛି ଦିନ ଧରି ଶିକ୍ଷାଦାନ ବ୍ୟବସ୍ଥାରେ ଘୋର ଅବନତି ଦେଖାଦେଇଛି।ପରିସ୍ଥିତି ଏପରି ହୋଇଛି ଯେ କମିଟିର ଗୋଚରରେ ସମ୍ପୃକ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ତାଙ୍କୁ ସମସ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଘୋର ଅଭାଵ ଯୋଗୁଁ ସମ୍ପୃକ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ବ୍ୟାହତ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ଶନିବାର ଦିନ ସକାଳୁଆ ସ୍କୁଲ ହୋଇଥିବା ବେଳେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପଡିବା ଘଟଣାରୁ ଉକ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା, ଶୈକ୍ଷିକ ପରିବେଶ ଓ ବିଦ୍ୟାଳୟ ପରିଚାଳନା କମିଟିର ଦୋଷ ଦୁର୍ବଳତା ପଦାରେ ପଡିଛି।
ସମୟ ନିର୍ଘଣ୍ଟ ପୂର୍ବରୁ କିଛି ଶିକ୍ଷାର୍ଥୀ ବିଦ୍ୟାଳୟ ହତା ପରିସରରେ ଉପସ୍ଥିତ ଥିବା ବେଳେ ଆଉ କିଛି ବିଦ୍ୟାର୍ଥୀ ତାଲା ବନ୍ଦ ଯୋଗୁଁ ବାହାରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ବହୁ ଶିକ୍ଷାର୍ଥୀ ବିଦ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ବେଳେ ଭିତରପଟୁ ଵିଦ୍ୟାଳୟ ଫାଟକରେ ତାଲା ପଡିଥିବା ଦେଖି ଘଟଣା ସ୍ଥଳକୁ ଅଭିଭାବକଙ୍କ ସୂଅ ଛୁଟିବା ସହ ଅସନ୍ତୋଷ ଦେଖା ଦେଇଥିଲା । ଘଟଣା ଦୀର୍ଘ ସମୟ ଧରି ଗ୍ରାମବାସୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଚାଲିବା ପରେ ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ସମ୍ପୃକ୍ତ ଉଚ୍ଚ ବିଦ୍ୟାଳୟରେ ଅଭାବ,ଅସୁବିଧା ଓ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଭିଭାବକ ଓ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଯେ କେଉଁ ବୃହତ୍ତର ସ୍ୱାର୍ଥ ହାସଲ ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଏଭଳି ଅପ୍ରୀତିକର ପରିସ୍ଥିତି ପ୍ରତି ନିରବ ରହିଛି ଓ ରାଜ୍ୟ ସରକାରଙ୍କ ମହତ ଉଦ୍ଦେଶ୍ୟକୁ ସଫଳ ରୂପାୟନ କରିବାରେ ବିଫଳ ହୋଇଛନ୍ତି।














