୩୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଚଳିତ ମାସ ୨ ତାରିଖରୁ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଭୁବନେଶ୍ୱର ଆହ୍ୱାନ କ୍ରମେ ୨ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବ୍ଲକରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସମ୍ପୃକ୍ତ ବ୍ଲକ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା।ଦ୍ଵିତୀୟ ପର୍ଯ୍ୟାୟରେ ଉକ୍ତ ଦାବି ପୂରଣ କରିବାରେ ରାଜ୍ୟ ସରକାର ଅବହେଳା ଓ କୁଣ୍ଠାବୋଧ ପ୍ରଦର୍ଶନ ଯୋଗୁଁ ସଂଘ ପକ୍ଷରୁ ପୁଣି ଥରେ ଗତ ୭ ତାରିଖରୁ ପ୍ରତିବାଦ ସ୍ବରୂପ କଳାବ୍ୟାଜ ଧାରଣ କରି ସେବା ରହିତ ଆନ୍ଦୋଳନ ଜାରି ରହିଥିଲା ।

କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଉଦାସୀନତା ଓ ଅହେତୁକ ବିଳମ୍ବତା ପ୍ରଦର୍ଶନ ଫଳରେ ଅନ୍ତିମ ପର୍ଯ୍ୟାୟରେ ଗତ ୧୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପିଇଓ ସଂଘ ପକ୍ଷରୁ ସାମୁହିକ ଛୁଟି ନେଇ ଦାବି ପୂରଣ ସକାଶେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତମ୍ବୁ ତଳେ ଗଣ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି।ଇତି ମଧ୍ୟରେ ପିଇଓଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୧୪ ଦିନ ପୁରିଲାଣି। ଏହାର ପ୍ରଭାବରେ ରାଜ୍ୟରେ ପ୍ରତିକୂଳ ପ୍ରଭାବ ସୃଷ୍ଟି ହୋଇ ଉନ୍ନୟନ କାର୍ଯ୍ୟ ସଫଳ ରୂପାୟନ ହେବାରେ ସମସ୍ୟା ଦେଖା ଦେଇଛି ।

ହିଞ୍ଜିଳିକାଟୁ ବ୍ଲକରେ ମଧ୍ୟ ଏହାର ବାସ୍ତବ ପ୍ରତିଫଳନ ଘଟିଛି ।ବ୍ଲକରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କ କୋଠରୀରେ ତାଲା ଝୁଲୁଛି।କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପିଇଓଙ୍କ ଚୌକି ସବୁ ଖାଲି ପଡି କାର୍ଯ୍ୟାଳୟ ପରିସର ଏବେ ଖାଁ ଖାଁ ପାଲଟିଛି।ହିଞ୍ଜିଳିକାଟୁ ବ୍ଲକର ୨୧ ଟି ପଞ୍ଚାୟତରେ ଏଭଳି ଅଚଳାବସ୍ଥା ପରିସ୍ଥିତି ସୃଷ୍ଟି ହେବା ଫଳରେ ଗତ ୧୪ ଦିନ ଧରି ବହୁ ଉନ୍ନୟନ ମୂଳକ କାମ ଅଟକିଛି। ରାଜ୍ୟ ସରକାରଙ୍କ ପ୍ରଯୋଜିତ ସାମାଜିକ ନିରାପତ୍ତା,ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା,ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳଯୋଗାଣ ଓ ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ପ୍ରାପ୍ୟ ମିଳିବାରେ ଅନିଶ୍ଚିତତା ଦେଖାଦେଇଛି। ବିଭିନ୍ନ ଜରୁରୀ କାମ ବିଷୟରେ ପିଇଓଙ୍କ ସହ ଆଲୋଚନା କରିବାକୁ ଦୂର ଦୁରାନ୍ତରୁ ଆସୁଥିବା ବହୁ ହିତାଧିକାରୀ ପିଇଓଙ୍କ ଅନୁପସ୍ଥିତି ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଇଛି।ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ପିଇଓଙ୍କ ସାମୁହିକ ଛୁଟି ଯୋଗୁଁ ହିତାଧିକାରୀଙ୍କ ସମସ୍ୟା ବୃଦ୍ଧି ପାଇଛି।ଏଣେ ପିଇଓଙ୍କ ଗଣ ଧାରଣାରେ କେବେ ପୂର୍ଣ୍ଣଛେଦ ପଡିବ ତାହା ଏବେ ପଞ୍ଚାୟତବାସୀଙ୍କ ମଧ୍ୟରେ ବେଶ ଆଲୋଚନା ହେଉଛି।














