୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଚଳିତ ମାସ ୨ ତାରିଖରୁ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଭୁବନେଶ୍ୱର ଆହ୍ୱାନ କ୍ରମେ ୨ ଦଫା ଦାବି ପୂରଣ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।ପ୍ରଥମ ପର୍ଯ୍ୟାୟରେ ନ୍ୟାର୍ଯ୍ୟ ଦାବି ହାସଲ ସକାଶେ ରାଜ୍ୟର ବିଭିନ୍ନ ବ୍ଲକରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସମ୍ପୃକ୍ତ ବ୍ଲକ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ଦ୍ଵିତୀୟ ପର୍ଯ୍ୟାୟରେ ଉକ୍ତ ଦାବି ପୂରଣ କରିବାରେ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ ଯୋଗୁଁ ସଂଘ ପକ୍ଷରୁ ପୁଣି ଥରେ ଗତ ୭ ତାରିଖ ଠାରୁ ପ୍ରତିବାଦ ସ୍ବରୂପ କଳାବ୍ୟାଜ ଧାରଣ କରି ସେବା ରହିତ ଆନ୍ଦୋଳନ ଜାରି ରଖିଥିଲେ।

କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅହେତୁକ ବିଳମ୍ବ ଓ ଅଣଦେଖା କରିବା ଫଳରେ ତୃତୀୟ ପର୍ଯ୍ୟାୟରେ ଗତ ୧୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପିଇଓ ସଂଘ ପକ୍ଷରୁ ସାମୁହିକ ଛୁଟି ନେଇ ଦାବି ପୂରଣ ସକାଶେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ହିଞ୍ଜିଳିକାଟୁ ବ୍ଲକରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଛି । ହିଞ୍ଜିଳିକାଟୁ ବ୍ଲକର ୨୧ ଟି ପଞ୍ଚାୟତରେ ଏଭଳି ଚରମ ଅଚଳାବସ୍ଥା ଯୋଗୁଁ ଗତ ୯ ଦିନ ଧରି ବହୁ ଉନ୍ନୟନ ମୂଳକ କାମ ଅଟକି ରହିଛି।ଏଥି ସହିତ ସାମାଜିକ ନିରାପତ୍ତା,ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା,ସାଧାରଣ ବଣ୍ଟନ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳଯୋଗାଣ ଓ ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।
ଏହା ବ୍ୟତୀତ ଅତ୍ୟାବଶ୍ୟକ ସେବା ଗୁଡିକ ବେଶ ପ୍ରଭାବିତ ହେବା ସହ ବିଭିନ୍ନ ଜରୁରୀ କାମ ବିଷୟରେ ପିଇଓଙ୍କ ସହ ଆଲୋଚନା କରିବାକୁ ଦୂର ଦୁରାନ୍ତରୁ ଆସୁଥିବା ବହୁ ହିତାଧିକାରୀ ପିଇଓଙ୍କ ଅନୁପସ୍ଥିତି ଯୋଗୁଁ ସମୟ ଅପଚୟ, ଖର୍ଚ୍ଚାନ୍ତ ଭଳି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଯାଇଛି।ତୃଣ ମୂଳ ସ୍ତରରେ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପ୍ରତି ଗୁରୁତ୍ୱ ପ୍ରଦାନ ସହ ପଞ୍ଚାୟତ ବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ନିଷ୍ଠା ରଖୁଥିବା ପିଇଓଙ୍କ ସାମୁହିକ ଛୁଟି ଯୋଗୁଁ ସବୁକିଛି ଠପ ହୋଇଯାଇଛି।ଏଣେ ପଞ୍ଚାୟତ ଗୁଡିକରେ ପିଇଓ ବସୁଥିବା କୋଠରୀରେ ତାଲା ଝୁଲୁଥିବା ବେଳେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ପ୍ରତି ସରକାର କେବେ କର୍ଣ୍ଣପାତ କରିବେ ତାହା ଏବେ ପଞ୍ଚାୟତ ସ୍ତରରେ ବେଶ ଆଲୋଚନା ହେଉଛି।














