ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ନକ୍ସଲ ।

୨୮ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଛି । ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରି ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ନିବେଦନ କରିଛନ୍ତି ମାଓବାଦୀ ମାନେ । ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ନକ୍ସଲ । ନକ୍ସଲ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୁଲିସଦ୍ୱାରା ନିର୍ୟାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସେହି ଦିନଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି ।
କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାୟଗଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀ ସଂଗଠନର ବାସଧାରା-ଘୁମଷୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛି ।
ନିୟମଗିରି ପାହାଡ଼ ଓ ଚନ୍ଦ୍ରପୁର ଥାନା ଅଞ୍ଚଳରେ କଂବିଙ୍ଗ ଅପରେସନ ଜୋରଦାର କରାଯାଇଛି । ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ମାଓବାଦୀମାନେ କୌଣସି ହିଂସାକାଣ୍ଡ କରିବା ସମ୍ଭାବନା ରହିଛି । ମାଓ ପ୍ରବଣ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ । ବିଭିନ୍ନ ଜିଲ୍ଲାରେ ସୀମା ଓ ପ୍ରବେଶ ପଥକୁ ସିଲ୍ କରି ଚେକିଂ ଓ ବ୍ଲକିଂ ଜାରି ରହିଛି । ସର୍ଚ୍ଚ ଅପରେସନ ଚଳାଇଛନ୍ତି ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନ ।














