୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଇଫକୋ ଏବଂ ଆଇଏଫଡିସି ତରଫରୁ ଗ୍ରାମୀଣ ଜୀବିକା ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି।ଇଫକୋ ଓଡ଼ିଶା ଓ ପଶ୍ଚିମବଙ୍ଗ ନିର୍ଦ୍ଦେଶକ ସୀମାଞ୍ଚଳ ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ଓ ରାଜ୍ୟ ସଂଯୋଜକ ମୁକେଶ କୁମାର ଖାନ୍ନାଙ୍କ ତତ୍ତ୍ୱାବଧାନରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆୟୋଜିତ ଶିବିରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ସହକାରୀ ଚିକିତ୍ସକ ଡାକ୍ତର ସ୍ୱୟଂଭୁ ପ୍ରସାଦ ରାୟ ଓ ଫାର୍ମାସିଷ୍ଟ ରାକେଶ କୁମାର ସାହୁ ଯୋଗ ଦେଇଥିଲେ।ସମ୍ପୃକ୍ତ ଗ୍ରାମରେ ଆଖି ଧରା,

ଚର୍ମ,ଥଣ୍ଡା କାଶ, ଆଣ୍ଠୁ,ଗଣ୍ଠି ଦରଜ ଆଦି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ୧୩୧ଜଣ ସାଧାରଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ସେମାନଙ୍କୁ ଆବଶ୍ୟକୀୟ ଔଷଧ ବିତରଣ ହୋଇଥିଲା। ହିଞ୍ଜିଳିକାଟୁ ବ୍ଲକ କ୍ଷେତ୍ର ଅଧିକାରୀ ରାଧାକାନ୍ତ ସାମନ୍ତରାୟ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ କ୍ଷେତ୍ର ଅଧିକାରୀ ରବି ନାରାୟଣ ପାଣିଗ୍ରାହୀ ସହଯୋଗ ଓ ପରିଚାଳନା କରିଥିଲେ।ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ଗ୍ରାମବାସୀ ସହଯୋଗ କରିଥିଲେ ।














