୨୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା :- ରାୟଗଡ଼ା ପ୍ରସିଦ୍ଧି ମାଁ ମଝିଘରିଆଣି ମନ୍ଦିରର ଉନ୍ନତିକରଣ ପାଇଁ ରେଳ ବିଭାଗ ନିଜ ଜମି ରାଜ୍ୟ ରାଜସ୍ୱ ବିଭାଗ ମାଧ୍ୟମରେ ପ୍ରଦାନ କରିଛି । ଏଥିପାଇଁ ବିଜେପି ଦଳ କାହିଁକି ମିଛ ବାହାବା ମାରୁଛି । ଏଭଳି ମତ ଦେଇଛନ୍ତି ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଶିବ ପଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା । ବିଜେପି ପକ୍ଷରୁ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସମ୍ମିଳନୀରେ ସଭାପତି ଶିବ ପଟନାୟକ, ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ନେତୃବୃନ୍ଦ ଙ୍କ କହିବା ଅନୁଯାୟୀ, ବିଜେଡ଼ି ନେତାମାନେ ଦୁଇଦିନ ଧରି ଖବରଦାତା ସମ୍ମିଳନୀ କରି ଜିଲାବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ମନ୍ଦିର ଜମି ହସ୍ତାନ୍ତର ପ୍ରକ୍ରିୟାରେ ନେତାଙ୍କ କୌଣସି ଭୂମିକା ନଥିବା ବିଜେପି ନେତାମାନେ କହିଛନ୍ତି । ୨୦୨୧ ମସିହା ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାୟଗଡ଼ା ଗସ୍ତ ସମୟରେ ମନ୍ଦିର ଜମି ପ୍ରସଙ୍ଗ ଉଠାଇଥିଲେ । ଜିଲ୍ଲା ବିଜେପି ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଉକ୍ତ ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ଦିରର ଉନ୍ନତି ପାଇଁ ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ଜିଲ୍ଲା ବିଜେପି ନେତୃବୃନ୍ଦଙ୍କୁ ଜଣାଇବାରୁ ଦଳ ପୁନର୍ବାର ମନ୍ତ୍ରୀଙ୍କୁ ଜଣାଇଥିବା ଶିବ ପଟନାୟକ ପ୍ରକାଶ କରିଛନ୍ତି । ମନ୍ତ୍ରୀଙ୍କ ନିର୍ଦେଶ ପରେ ଜାନୁୟାରି ୧୯ ତାରିଖରେ ଚଇତି ମହୋତ୍ସବ ରେ ଯୋଗଦେବା ଅବସରରେ ୱାଲଟିୟର ଡିଭିଜନ ଡିଆରଏମ ଅନୁପ ଶତପଥୀ ୬.୩୦ ଏକର ଜମି ହସ୍ତାନ୍ତର ନେଇ ମଞ୍ଚରେ ଘୋଷଣା କରିଥିଲେ । ହେଲେ ବର୍ତମାନ ମନ୍ଦିରକୁ ଜମି ହସ୍ତାନ୍ତର ହେବା ପରେ ବିଜେଡ଼ି ମିଛି ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ବସନ୍ତ ଉଲାକା ।
ଏହି ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତରରେ ତୃତୀୟ ରେଳ ଲାଇନ କାର୍ଯ୍ୟ ଶେଷ ପରେ ଡିଭିଜନ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଜେପି ସଭାପତି ଶିବ ପଟନାୟକ ସୂଚନା ଦେଇଛନ୍ତି । ୱାଲଟିୟର ଡିଭିଜନରୁ ଅଲଗା ଭାବେ ରାୟଗଡ଼ା ଡିଭିଜନ ନିର୍ମାଣକୁ ଆନ୍ଧ୍ରପ୍ରଦେଶ ଅନ୍ତରାୟ ସୃଷ୍ଟି କରୁଥିବା କଥା ସ୍ୱୀକାର କରିବା ସହ ଏହି ସମସ୍ୟା ମାନ୍ୟବର ପ୍ରଧାନମନ୍ତ୍ରୀ ଦୂର କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ବିଶାଖାପାଟନମ ଠାରେ ଦକ୍ଷିଣତଟ ରେଳବାଇ ଜୋନ ନୂତନ ଭାବେ ଖୋଲିବ ଏବଂ ପୂର୍ବତଟ ଜୋନ ଅଧୀନରେ ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟକ୍ଷମ ହେବ ବୋଲି ବିଜେପି ସଭାପତି କହିଛନ୍ତି ।















