୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ । ତାଙ୍କର ସ୍ୱାଭିମାନ ଓ ସାହସିକତା ଅବିସ୍ମରଣୀୟ । ତାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ । ଏଭଳି ଜଣେ ସତ୍ୟନିଷ୍ଠ ସଂଗ୍ରାମୀଙ୍କ ପ୍ରେରଣାସ୍ପଦ ଜୀବନକାହାଣୀ ଉତ୍ତରପିଢ଼ିଙ୍କ ନିକଟରେ ସସମ୍ମାନେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦୁଝର ଭୂୟାଁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ଅନେକବାର ବିଦ୍ରୋହ କରିଥିଲେ ।
ସେଥି ମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧିନ ଧରଣୀମେଳି । ଯାହା ଅତ୍ୟାଚାରୀଙ୍କ ଆଖିରୁ ନିଜ ହଜାଇ ଦେଇଥିଲା । ଏହି ସଂଗ୍ରାମ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାଧରରେ ଲିପିବଦ୍ଧ । ତାଙ୍କର ମହାନ ଆଦର୍ଶ ଓ ନୀତିନିଷ୍ଠ ଜୀବନ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇରହିଛି ବୋଲି ଶ୍ରୀ ନାଏକ ଉଲ୍ଲେଖ କରିଥିଲେ । ବିପ୍ଳବୀ ଧରଣୀଧରଙ୍କ ଜାତିପ୍ରୀତି ଓ ସାହସିକତା ସବୁବେଳେ ଓଡ଼ିଆମାନଙ୍କୁ ପ୍ରେରଣା ଯୋଗାଉଥିବ । ସେ ଅସାଧାରଣ ଜ୍ଞାନ ଓ ଗରିମାର ଅଧିକାରୀ ଥିଲେ ବୋଲି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ । ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝରର ସହକାରୀ ପ୍ରଫେସର ଡ. ସୁମନ୍ତ୍ର ନାଏକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖି ଧରଣୀଧରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ଧରଣୀଧର ଏକ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା କରିଥିଲେ । ଯେଉଁଠି ସମସ୍ତଙ୍କର ସମାନ ଅଧିକାର ରହିବ । ସେଭଳି ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ ବୋଲି ସେ ପ୍ରକାଶ କରିଥିଲେ । ପଦ୍ମଶ୍ରୀ ଦୈତାରୀ ନାଏକ, କେନ୍ଦୁଝର ନାଗରିକ ପରିଷଦର ସଭାପତି ଶ୍ରୀ ହାଡିବନ୍ଧୁ ପଟ୍ଟନାୟକ, ଅଧ୍ୟାପିକା ଡ. ଯାଜ୍ଞସେନୀ ଛତି୍ରଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିପ୍ଳବୀ ଧରଣୀଧର ଜଣେ ସାହସୀ, ସ୍ୱାଭିମାନୀ, କର୍ତ୍ତବ୍ୟନିଷ୍ଠ ଓ ପ୍ରଜ୍ଞାବାନ୍ ପୁରୁଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ସେମାନଙ୍କୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ପ୍ରେରଣା ଦେଇଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।

© 2023 Odisha Taza News.