ଅନ୍ତର୍ଜାତୀୟ ନୃତ୍ୟ ମଞ୍ଚରେ ଓଡ଼ିଆ ଝିଅ ପ୍ରିୟାଂଶୀ ପ୍ରଥମ

ଓଡ଼ିଆ ଝିଅ ପ୍ରିୟାଂଶୀ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ

୩୦ ନଭେମ୍ବର ବୁଧବାର (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଆ ଝିଅ ପ୍ରିୟାଂଶୀ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଅନ୍ତର୍ଜାତୀୟସ୍ତରରେ ନୃତ୍ୟ ପରିବେଷଣ କରି ପ୍ରଥମସ୍ଥାନ ହାସଲ ସହ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ନଭେମ୍ବର ୨୬ରୁ ନୂଆଦିଲ୍ଲୀସ୍ଥିତ ଏମ୍‌ସିୟୁଆଇ ଅଡ଼ିଟୋରିୟମ ଓ କନଭେନସନ ସେଣ୍ଟରରେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ୩ସସସ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୮୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୯୩ଜଣ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଓଡ଼ିଶାର କୁନି ପ୍ରତିଭା ପ୍ରିୟାଂଶୀ ସେମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶାର ପ୍ରିୟାଂଶୀ ଜେନା ଓ ରାଜସ୍ଥାନର କୌଶିକ ଯୋଶୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଗାମୀ ଡ଼ିସେମ୍ବର ମାସ୨୪ ତାରିଖରେ ଚିକାଗୋରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନରେ ଭାଗ ନେବାପାଇଁ ପ୍ରିୟାଂଶୀ ମନୋନୀତ ହୋଇଛନ୍ତି । ପ୍ରିୟାଂଶୀ ଜେନା ଭୁବନେଶ୍ୱରସ୍ଥିତ ଫ୍ଲଲେସ୍ ଡ଼୍ୟାନ୍ସ ଏକାଡ଼େମୀରେ ନୃତ୍ୟ ଶିଖୁଛନ୍ତି । ଗୁରୁ ଆଶିଷ କୁମାରଙ୍କ ତତ୍ତ୍ୱାବଧାନରେ ପ୍ରିୟାଂଶୀ ଆଜି ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପରେ ଆଗାମୀ ଦିନରେ ଉଚ୍ଚକୋଟୀର ନୃତ୍ୟ ପରିବେଷଣ ପାଇଁ ପ୍ରିୟାଂଶୀ ଓଡ଼ିଶାର ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ।