ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ ଇଣ୍ଡିଆ କ୍ୟାପିଟାଲ୍ସକୁ ଚାମ୍ପିଅନ୍ ମୁକୁଟ

Final match

ଓଡ଼ିଶା ତାଜା ନ୍ୟୁଜ (6 ତାରିଖ ଆଶ୍ୱିନ ୨୦୨୨,ଗୁରୁବାର) ଭୁବନେଶ୍ୱର :-  ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା  ସ୍କାଏ୨୪୭ ଡଟ୍ ନେଟ୍  ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ରେ ଇଣ୍ଡିଆ କ୍ୟାପିଟାଲ୍ସ ବିଜୟ ମୁକୁଟ ପିନ୍ଧିଛି । ଜୟପୁରର ସୱାଇ ମାନ୍ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏକ ଚିତାକର୍ଷକ ଫାଇନାଲରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଇଣ୍ଡିଆ କ୍ୟାପିଟାଲ୍ସ  ଭିଲ୍‌ୱାରା କିଙ୍ଗ୍‌ସକୁ ୧୦୪ ରନ୍‌ରେ  ପରାଜିତ କରି ଟ୍ରଫି ହାସଲ କରିଛି । ଆରମ୍ଭରେ ମନ୍ଥର ବେଗରେ ଯାଉଥିବା ଇଣ୍ଡିଆ କ୍ୟାପିଟାଲ୍ସ  ଚମତ୍କାର ପ୍ରତ୍ୟାବର୍ତନ ସହ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା । ଅନ୍ୟପକ୍ଷରେ ଭିଲ୍‌ୱାରା କିଙ୍ଗ୍‌ସ ୧୮.୨ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୧୦୭ କରିବାକୁ ସକ୍ଷମ ହୋଇଥିଲା । ଭିଲ୍‌ୱାରା କିଙ୍ଗ୍‌ସ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ୍ ପାଇଁ ନିଷ୍ପତି ନେଇଥିଲା ଏବଂ ଫାଇନାଲରେ ଏକ ଭଲ ଆରମ୍ଭ କରିଥିଲା ।

କିନ୍ତୁ କ୍ୟାପିଟାଲ୍ସ ପାଇଁ ଏହା ଏକ ସମ୍ପୂର୍ଣ୍ଣ ଦଳୀୟ ପ୍ରୟାସ ଥିଲା ଯାହା ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲା । ଫାଇନାଲ ମ୍ୟାଚ୍‌ରେ ରସ୍ ଟେଲର୍  (୪୧ ବଲରେ ୮୨ ରନ୍‌) ଓ ମିଶେଲ ଜନ୍‌ସନ (୩୫ ବଲ୍‌ରେ ୬୨ ରନ୍‌)ଙ୍କ  ଚମତ୍କାର ବ୍ୟାଟିଙ୍ଗ୍ ଇଣ୍ଡିଆ କ୍ୟାପିଟାଲ୍ସକୁ ବିଜୟୀ କରାଇଥିଲା ।  ଉଭୟ ଷ୍ଟାର୍ ବ୍ୟାଟ୍‌ସମ୍ୟାନ ୫ମ ୱିକେଟ୍ ଯାଏଁ ମିଳିତ ଭାବେ ୧୨୬ ରନ୍ କରିଥିବା ବେଳେ ଭିଲ୍‌ୱାରା କିଙ୍ଗ୍‌ସର ବ୍ୟାଟ୍‌ସମ୍ୟାନ୍ କୌଣସି ସାର୍ଥକ ସହଭାଗିତା ପାଇଁ ସକ୍ଷମ ହୋଇନଥିଲେ ।  ପୂର୍ବତନ ଇଂଲଣ୍ଡ ପେସର୍ ଟିମ୍ ବ୍ରେସ୍‌ନନ୍ ଶେଷରେ ୧୫ତମ ଓଭର୍‌ରେ ଜନ୍‌ସନ୍‌ଙ୍କୁ ଆଉଟ୍ କରି ଏହି ସହଭାଗିତାକୁ ଭାଙ୍ଗିଥିଲେ ।

Final match

ସେହିପରି ଟେଲର୍ ୧୭ତମ ଓଭର୍‌ରେ ଆଉଟ୍ ହୋଇଥିଲେ । କିଙ୍ଗ୍‌ସ ଓପ୍‌ନର୍ ମୋର୍‌ନେ ଭାନ୍ ୱିକ୍ ୫ ରନ୍ କରି ଓ ୱିଲିୟମ ପୋର୍ଟର୍‌ଫିଲ୍ଡ ୧୨ ରନ୍ କରି ୪ର୍ଥ ଓଭର୍‌ରେ ଆଉଟ୍ ହୋଇଥିଲେ । ୟୁସୁଫ୍ ପଠାନ୍ ୬ ରନ୍‌, ସେନ୍ ୱାଟ୍‌ସନ୍ ୨୭ ରନ୍ ଓ ଜେସାଲ୍ କାରିଆ ୨୨ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଭିଲ୍‌ୱାରା କିଙ୍ଗ୍‌ସ କ୍ୟାପ୍ଟେନ ଇର୍‌ଫାନ୍ ପଠାନ୍ ୨ ରନ୍ କରି ଦ୍ୱାଦଶ ଓଭର୍‌ରେ ଆଉଟ୍ ହୋଇଥିଲେ । ଇଣ୍ଡିଆ କ୍ୟାପିଟାଲ୍ସ ପାଇଁ ୩ ଜଣ ବୋଲର୍ ପୱନ ସୁୟାଲ୍ (୨-୨୭), ପଙ୍କଜ ସିଂହ (୨-୧୪) ଓ ପ୍ରବୀଣ ତାମ୍ବେ (୨-୧୯) ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।