ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ଉପସ୍ଥାପନ : ଶରଣକୁଳ ବାଇପାସ୍ ରାସ୍ତା ପାଇଁ ୨୫ କୋଟି ମଞ୍ଜୁର

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ନୟାଗଡ଼ :- ଦୀର୍ଘ ଦିନ ଧରି ଶରଣକୁଳ ବାଇପାସ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ । ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ହେବ । ରାଜ୍ୟ ସରକାର ୨୫ କୋଟି ଅର୍ଥ ମଞ୍ଜୁର କରିଛନ୍ତି । ଶରଣକୁଳ ଦେଇ ଜାତୀୟ ରାଜପଥ ଯାଇ ନ ଥିଲେ ମଧ୍ୟ ଏଠାରେ ୨୧ ନଂ. ରାଜ୍ୟ ରାଜପଥ ଯାଇଛି । ନୟାଗଡ ଜିଲ୍ଲାର ଶରଣକୁଳ ରାଜ୍ୟର ପ୍ରମୁଖ ଶୈବ କ୍ଷେତ୍ର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଗତ ଦେଢ଼ ବର୍ଷ ଭିତରେ ଶରଣକୁଳରେ ୧୨ ଜଣଙ୍କ ଜୀବନ ଗଲାଣି ।

ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିରକୁ ଲାଗି ୨୧ ନଂ. ରାଜ୍ୟ ରାଜପଥ ଯାଇଛି । ଏଠାରେ ବାଇପାସ୍ ରାସ୍ତା ନିର୍ମାଣ ଆବଶ୍ୟକତା ରହିଥିଲା । ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁଁ ୨୦୨୦ ନଭେମ୍ବର ୨୪ରେ ଶରଣକୁଳରେ ୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ଟ୍ରକ ଧକ୍କାରେ ଜଣେ ୩ ବର୍ଷର ଶିଶୁ ପ୍ରାଣ ହରାଇଥିଲା । ଏଠାରେ ଗତ ଦେଢ଼ ବର୍ଷ ଭିତରେ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଲେଣି । ଦୁର୍ଘଟଣାକୁ ଏଡାଇବା ପାଇଁ ବାଇପାସ୍ ନିର୍ମାଣ ଜରୁରୀକୁ ମନେ କରି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

 

ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଦଫାରେ ପୂର୍ତ୍ତ ବିଭାଗ ନିମନ୍ତେ ୨୫ କୋଟି ଅର୍ଥ ମଞ୍ଜୁର ହୋଇଥିବା ଜଣାପଡିଛି । ଏଥି ମଧ୍ୟରୁ ୨୦ କୋଟି ଟଙ୍କା ଜମି ଅଧିଗ୍ରହଣରେ ଖର୍ଚ୍ଚ ହେବ । ଅନ୍ୟପକ୍ଷେ ଶରଣକୁଳ ପାଇଁ ବାଇପାସ୍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି । କଟରାଝରି ଡ୍ୟାମ୍‌ଠାରୁ ବାଉଁଶିଆ ଶାସନ, ଶିଖରପୁର ପୋଲ, ଶିଖରପୁର ଗହିର ଦେଇ କରଡା ଶାସନ ପୂର୍ବରୁ ବାଇପାସ୍ ଯିବ । ଏଠାର ବାଇପାସ୍ ପାଇଁ ଆଲଟ୍‌ମେଣ୍ଟ ଆପ୍ରୁଭ ହୋଇ ସାରିଛି । ଜମି ଅଧିଗ୍ରହଣ ପାଇଁ ଫାଇନାଲ ସର୍ଭେ ଚାଲିଛି । ସମୁଦାୟ ବାଇପାସ୍ ୫ କି.ମି.୪୦୦ମିଟର ହେବ ବୋଲି ଜଣାପଡିଛି ।