ବାଇଶି ପାହାଚର ନିର୍ମାଣ : ପୁରୀ

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ସୋମବାର )ପୁରୀ :- ଶ୍ରୀକ୍ଷେତ୍ରରେ ୨ୟ ଭାନୁଦେବଙ୍କ ସମୟରେ ଏହି ୨୨ ପାହାଚ ନିର୍ମାଣ ହୋଇଥିଲା ବୋଲି କିଛି ଗବେଷ କୁହନ୍ତି । ସେମାନଙ୍କ ମତରେ ରାଜା ଭାନୁଦେବ ଅପୁତ୍ରିକ ଥିଲେ । ଏଣୁ ଭଗବାନ ଜମ୍ବେଶ୍ବର ମହାଦେବକଙ୍କୁ ସେ ପ୍ରାର୍ଥନା କରି ପୁତ୍ର କାମନା କରନ୍ତି । ଠାକୁରଙ୍କ କୃପାରୁ ଭାନୁଦେବଙ୍କ ପୁଅଟିଏ ବି ହେଲା । ହେଲେ ଜାତକ କାଟିଲା ବେଳେ ଅବଧାନେ କହିଲେ, ଏ ପୁଅଟି ଆପଣଙ୍କ ୨୨ ବର୍ଷ ଆୟୁଷ ନେଇ ଜନ୍ମ ହୋଇଛି । ଏଣୁ ୨୨ ଡେଇଁଲେ, ଏହାର ମୃତ୍ୟୁ ସୁନିଶ୍ଚିତ ।

ଅଳ୍ପାୟୁ ପୁଅ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ । ଅଳ୍ପାୟୁ ପୁଅକୁ ଦୀର୍ଘାୟୁ କରିବାକୁ ଠାକୁରଙ୍କୁ ପ୍ରାର୍ଥନା କରିବାକୁ ଦିଅଁ ସ୍ବପ୍ନାଦେଶ କଲେ । ‘ଯାଅ ରାଜା, ବଡ଼ ଦେଉଳ ମୁହଁରେ ପାହାଚ ନିର୍ମାଣ କର । ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ତୁମ ଦ୍ବାରା ନିର୍ମିତ ଏହି ୨୨ ପାହାଚ ଅତିକ୍ରମ କରନ୍ତୁ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ ହେଉ ।

ଆଉ ଏହି ବାଇଶି ପାହାଚରେ ଗଡାଇ ତୁମ ୨୨ ବର୍ଷ ପ୍ରାରବ୍ଧ ନେଇ ଆସିଥିବା ପୁଅ ଗୋଟିଏ ସୁନ୍ଦର ଜୀବନକୁ ଅଙ୍ଗେ ନିଭାଉ । ଭାନୁଦେବ ଏହି ସ୍ବପ୍ନାଦେଶ ପାଇ ନିଜକୁ କୃତାର୍ଥ ମନ କଲେ । ଆରମ୍ଭ ହେଲା ବାଇଶି ପାହାଚ ନିର୍ମାଣ । ସେବେଠାରୁ ଏହି ବାଇଶି ପାହାଚରେ ନିଜ ସନ୍ତାନକୁ ଗଡେଇ ଆସୁଛନ୍ତି ଏ ଜାତିର ଅଗଣିତ ଶ୍ରଦ୍ଧାଳୁ । ଆଉ ପ୍ରାର୍ଥନା କରୁଛନ୍ତି, ହେ ମହାପ୍ରଭୁ ତୁମେ ମୋ ସନ୍ତାନକୁ ଶଙ୍ଖେ ପୂରାଇ ଚକ୍ର ଆଢୁଆଳେ ରଖିଥାଅ ।