ରଥଯାତ୍ରା ଉପଲକ୍ଷେ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ଓଡ଼ିଶା ତାଜା ନ୍ୟୁଜ୍/୪ ଜୁଲାଇ ସୋମବାର/ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ରାଜ୍ୟ ହସ୍ତତନ୍ତ ପୁଞ୍ଜ ବିକାଶ ଅନୁଷ୍ଠାନ (ଏସ୍‌ଏଡିଏଚ୍‌ଏସି) ଦ୍ୱାରା ଆୟୋଜନ କରାଯାଇଛି । ରାଜ୍ୟରେ ଥିବା ବିଭିନ୍ନ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପିଓଏଚ୍‌ଆଇ ୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଛି ।

ଆଜି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ମେଳାରେ ବରଗଡ଼, କଟକ, ସୋନପୁର, ଆଠଗଡ଼, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ବ୍ରହ୍ମପୁର ବୟନମଣ୍ଡଳଗୁଡ଼ିକରୁ ୩୪ଟି ବୁଣାକାର ସମବାୟ ସମିତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ ନିମନ୍ତେ ଯୋଗଦାନ କରିଛନ୍ତି । ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗଙ୍କ ପ୍ରଚେଷ୍ଟାରେ ଗତ ଅକେଫାବର ୨୦୨୧ରୁ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ରାଜ୍ୟର ୯୯୪ ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ହସ୍ତଶିଳ୍ପ କାରିଗର ଭାଗ ନେଇ ୧୦୨୯ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ ା ଏତଦ୍‌ବ୍ୟତୀତ ଏହି ହାଟରେ ଥିବା ଫୁଡ୍‌ ଷ୍ଟଲମାନଙ୍କରେ ମଧ୍ୟ ୧୮୦ ଲକ୍ଷ ଟଙ୍କାର ବିକ୍ରୟ ହୋଇପାରିଛି ା ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଏହି କାର୍ଯ୍ୟକ୍ରମକୁ ଏସ୍‌ଏଡିଏଚ୍‌ଏସି ସଂସ୍ଥାର ସଭ୍ୟ ସଚିବ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଯୋଜନା କରିଥିଲେ ।