ବରିଷ୍ଠ ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ

ବିଧାନସଭାରେ ବିଭିନ୍ନ କମିଟିର ସମୀକ୍ଷା ବୈଠକ

1. ଜଳସଂରକ୍ଷଣରେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱାରୋପ

2. ୬୩୯ ଅଧ୍ୟାପକଙ୍କୁ ନିଯୁକ୍ତି ଓ ୨୪ ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି

3.  ଶିକ୍ଷାର ବିକାଶ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :-  ବରିଷ୍ଠ ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ ପୂର୍ବାହ୍ନରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇବର୍ଷ ମଧ୍ୟରେ ପୂର୍ତ୍ତ ଓ ଜଳସଂପଦ ବିଭାଗ ଦ୍ୱାରା ନିର୍ମିତ ବିଭିିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଦେବ ପ୍ରକାଶ କରିଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ଜଳସଂରକ୍ଷଣ କରାଯାଇପାରୁ ନଥିବାରୁ ଅନେକ ଜଳର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ । ତେଣୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଜଳସଂରକ୍ଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜଳସଂରକ୍ଷଣ ଓ ସେତୁ ନିର୍ମାଣ ସଂପର୍କିତ ବିଭିନ୍ନ ନିୟମରେ ସମୟାନୁଯାୟୀ ପରିବର୍ତ୍ତନ ଆସିବା ଦରକାର ବୋଲି ସେ କହିଛନ୍ତି ।

ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ରାସ୍ତା, ସେତୁ, ବିଜୁ ଏକ୍ସପ୍ରେସ୍‌ େୱ ଏବଂ ରାଜ୍ୟ ରାଜପଥ ସଂପ୍ରସାରଣ, ବିଭିନ୍ନ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ମେଗା ଲିଫଫ ପଏଣ୍ଟ ଉପରେ ବିସ୍ତିର୍ଣ୍ଣ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟ କରିବା ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦୦ଟି ସେତୁ ସହ ବ୍ୟାରେଜ ନିର୍ମାଣର ପ୍ରସ୍ତାବ ଆଗତ ହୋଇଛି । ଏହାର କାର୍ଯ୍ୟ କେତେଦୂର ଅଗ୍ରସର ହେଲାଣି, ସେ ବିଷୟରେ ଅଧ୍ୟକ୍ଷ ଶ୍ରୀ ଦେବ ତଥ୍ୟ ସଂଗ୍ରହ କରିଥିଲେ । ଅନେକ ସ୍ଥାନରେ ସୌରଜଳ ପ୍ରକଳ୍ପଗୁଡ଼ିକ ଏକ/ଦୁଇ ବର୍ଷ ମଧ୍ୟରେ ଅକାମୀ ହୋଇଯାଉଥିବାର ନଜିର ସାମ୍‌ନାକୁ ଆସୁଛି । ତେଣୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ପ୍ରୋତ୍ସାହିତ ନକରିବାକୁ ସଦସ୍ୟମାନେ ମତ ଦେଇଛନ୍ତି ।

ରାଜ୍ୟର ଆକାମୀ ମେଗା ଲିଫଫ ପଏଣ୍ଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛି । ସେହିପରି ଅପରାହ@ରେ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷାର ସାମଗ୍ରିକ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ପାଇଁ ୭୦୦୦ ଶିକ୍ଷକଙ୍କ ଆବଶ୍ୟକ ଥିଲା । ଆସନ୍ତା ଜୁନ ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଏହା ସହିତ ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୬୩୯ ଜଣ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ।

ଜୁନ ମାସରେ ୨୬୮ ଜଣ ରାଜନୀତି ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ା ଏଥିପାଇଁ କମିଟି ସଂପୃକ୍ତ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି । ଏହା ସହିତ ବରିଷ୍ଠ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ଓ ଶିଶୁ ବିକାଶ ବିଭାଗ ଗୃହକମିଟି ବୈଠକରେ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ବିଧାୟକ ପ୍ରଣବ ବଳବନ୍ତରାୟ, ଆଦିତ୍ୟ ମାଢ଼ୀ, ସୁନନ୍ଦା ଦାସ, ବିଷ୍ଣୁବ୍ରତ ରାଉତରାୟ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଭାଗୀୟ ଅଧିକାରୀ ବୈଠକମାନଙ୍କରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।