ବାଲେଶ୍ବର‌ରୁ ଭୁବନେଶ୍ବର ଗଡ଼ିବ ମେମୁ ଟ୍ରେନ୍ ୭ରେ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ, ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ଗୁରୁବାର) ବାଲେଶ୍ବର :- ମୋଦି ସରକାରଙ୍କ ସମୟରେ ବାଲେଶ୍ବର ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଏହା ମଧ୍ୟରେ ଅନେକ କାମ ଆରମ୍ଭ ହୋଇ ସାରିଛି । ଆଗକୁ ଆହୁରି ବହୁ କାମ ହେବାର ଅଛି । ଏହି ଆଧାରରେ ଆସନ୍ତା ୭ ତାରିଖରେ ବାଲେଶ୍ବରରୁ ଭୁବନେଶ୍ବରକୁ ପ୍ରଥମ ମେମୁ ଟ୍ରେନ୍ ଚଳାଚଳ କରିବ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରି‌ବେ ବୋଲି ବୁଧବାର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ ବାଲେଶ୍ବର ରେଳ ଷ୍ଟେସନରୁ ମଧ୍ୟାହ୍ନ ୧୨ଟା ୩୦ରେ ବାଲେଶ୍ବର-ଭୁବନେଶ୍ୱର ମେମୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ । ଅପରାହ୍ନ ୧ଟା ୩୦ରେ ନୀଳଗିରି ରେଳଷ୍ଟେସନର ଶିଳାନ୍ୟାସ ଓ ଜନସଭାକୁ ସମ୍ବର୍ଦ୍ଧିତ, ୩ଟା ୧୫ରେ ରେମୁଣା କ୍ଷୀରଚୋରା ଗୋପୀନାଥଙ୍କୁ ରେଳମନ୍ତ୍ରୀ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୩ଟା ୪୫ରେ ଭଦ୍ରକ-ଖରାଗପୁର ମଧ୍ୟରେ ତୃତୀୟ ଟ୍ରେନ୍ ଲାଇନ କାର୍ଯ୍ୟ ଅଧିନରେ ଥିବା ବସ୍ତା ଷ୍ଟେସନ ଗୃହର ଶୁଭ ଉଦଘାଟନ ଏବଂ ୪ଟା ୫୦ରେ ଜଳେଶ୍ବରଠାରେ ପ୍ରସ୍ତାବିତ ନୂଆଷ୍ଟେସନ ଗୃହର ରେଳମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ ।