ଜିଲ୍ଲାର ୧୨ ଘରୋଇ ଚିକିତ୍ସାଳୟରେ ମିଳିବ ମାଗଣା ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ୍ କାର୍ଡ୍ ସେବା, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର)  ଢେଙ୍କାନାଳ :- ବିଜୁ ସ୍କାଟ କାର୍ଡ ହିତାଧିକାରୀଙ୍କୁ ମିଳିବ ଉତ୍ତମ ସ୍ଵାସ୍ଥ୍ୟ ସେବା। ସରକାରୀ ଚିକିତ୍ସାଳୟ ଛଡ଼ା ଏବେ ଜିଲ୍ଲାରେ ଥିବା ୧୨ ଟି ଘରୋଇ ଚିକିତ୍ସାଳୟ ଗୁଡିକରେ କାର୍ଡ ଧାରୀଙ୍କୁ ଦିଆଯିବ ଉତ୍ତମ ସ୍ଵାସ୍ଥ୍ୟ ସେବା। ଏନେଇ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧୨ ଜଣ ଘରୋଇ ଚିକିତ୍ସାଳୟ ମାଲିକମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ମାନବ ସେବା ହିଁ ମାଧବ ସେବା ଏହି ମନୋଭାବ ନେଇ ଗରିବମାନଙ୍କୁ ସରକାରଙ୍କର ଏହି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେଇ ଢେଙ୍କାନାଳକୁ ଏକ ସୁସ୍ଥ ଜିଲ୍ଲାରେ ପରିଣତ କରିବାକୁ ସମସ୍ତ ଚିକିତ୍ସାଳୟର ମାଲିକମାନଙ୍କୁ ଆହ୍ୱାନ ଦେବା ସହ ଯେକୌଣସି ପ୍ରକାରର ସହଯୋଗ ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଜିଲ୍ଲାର ପଣ୍ଡା ନର୍ସିଂ ହୋମ୍, ଶ୍ରୀ ଜଗନ୍ନାଥ ହସ୍ପିଟାଲ, ଦିଶା ହସ୍ପିଟାଲ, କଳିଙ୍ଗ ଚକ୍ଷୁ ହସ୍ପିଟାଲ, ଆରୋଗ୍ୟ ନର୍ସିଂ ହୋମ୍, ସର୍ବେଶ୍ଵର ମେମୋରିଆଲ ଚକ୍ଷୁ ହସ୍ପିଟାଲ, ସର୍ବେଶ୍ଵର ମେମୋରିଆଲ ହସ୍ପିଟାଲ, ମା ବୈଷ୍ଣୋ ଦେବୀ ନର୍ସିଂ ହୋମ୍, ଦେବୀ ଦୁର୍ଗା ହସ୍ପିଟାଲ, ସାଇଶ୍ରୀ ଚକ୍ଷୁ ହସ୍ପିଟାଲ, ସାଇ ନର୍ସିଂ ହୋମ୍ ଏବଂ ଶ୍ରୀ କ୍ରିଷ୍ଣା ହସ୍ପିଟାଲର ମାଲିକ ମାନେ ଯୋଗ ଦେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନୟାଗୀ ବିଦ୍ୟା ଭି, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ସିଡିଏମଓ ଅଶୋକ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।