ବାରିପଦା ଡିଭିଜନ ଗ୍ରସ୍ତ କରି କାର୍ଯ୍ୟ ର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ – ଅମରେଶ ପତ୍ରୀ

କୃଷକମାନଙ୍କ ସମସ୍ୟାକୁ ବୁଝି ଜଳସେଚନ ସୁବିଧା ପାଇଁ ସହାୟତା କରିବାକୁ ପରାମର୍ଶ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ମୟୂରଭଞ୍ଜ,ଭୁବନେଶ୍ୱର :– ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତରେ ଆସି ବାରିପଦା ଓ.ଏଲ୍‌.ଆଇ.ସି ଡିଭିଜନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ ।

ଏ ସଂପର୍କିତ ଏକ ସମୀକ୍ଷା ବୈଠକରେ ଶ୍ରୀ ପତ୍ରୀ ଯୋଗଦେଇ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ କୃଷକମାନେ କିପରି ଲାଭବାନ ହୋଇପାରିବେ, ସେସମ୍ପର୍କରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ବେଳେ କୃଷକମାନଙ୍କର ରହିଥିବା ସମସ୍ୟାକୁ ବୁଝି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେଇ କୃଷି କ୍ଷେତ୍ରକୁ ଜଳଯୋଗାଣକୁ ସୁନିଶ୍ଚିତ କରିବାକୁ ଶ୍ରୀ ପତ୍ରୀ ଆବଶ୍ୟକ ପରାମର୍ଶ ଦେଇଥିଲେ ।

ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଏବଂ ‘ମୋ ସରକାର’ ଆଭିମୁଖ୍ୟ ଆଧାରରେ ଡିଭିଜନରେ ନିର୍ମାଣାଧିନ ପ୍ରକଳ୍ପକୁ ତ୍ୱରିତ ପଦକ୍ଷେପ ନେଇ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ କହିଥିଲେ । ଏହାପରେ ନିଗମର ଅଧ୍ୟକ୍ଷ ଶ୍ରୀ ପତ୍ରୀ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରସକଣା ବ୍ଲକର ଝାରପୋଖରିଆ ଗ୍ରାମ ପଂଚାୟତରେ ଝାରବେଡା ଗ୍ରାମରେ ସ୍ଥାପିତ ଗଭୀର ନଳକୂପ ପ୍ରକଳ୍ପ ପରିଦର୍ଶନ କରିଥିଲେ ।

ଏହିି ପ୍ରକଳ୍ପ ଯୋଗୁଁ ୨୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍‌ଧ ହେବାକୁ ଥିବା ବେଳେ ପ୍ରକଳ୍ପର ଅଧିକ ଉନ୍ନତିକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପତ୍ରୀ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ସେହିପରି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବାଙ୍ଗିରିପୋଷି

ବ୍ଲକ ଅନ୍ତର୍ଗତ ଗୋଳମୁଣ୍ଡାକଟା ଗ୍ରାମ ପଂଚାୟତର ଶାଳବଣୀ ଗ୍ରାମସ୍ଥିତ ଶାଳବଣୀ -୨ ନଦୀ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୨୦ ହେକ୍ଟର ଜମିକୁ ଜଳସେଚିତ ହେଉଥିବା ପ୍ରକଳ୍ପକୁ ଶ୍ରୀ ପତ୍ରୀ ପରିଦର୍ଶନ କରିଥିଲେ ଏବଂ କୃଷକମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୀକ୍ଷା ବୈଠକ ଓ ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ପାତ୍ର, ଏଷ୍ଟିମେଟର ପ୍ରଦୀପ କୁମାର ବେହେରା ଓ ସହକାରୀ ଯନ୍ତ୍ରୀ ସରୋଜ କୁମାର ନାୟକ, ଶୁକଦେବ ଭୋଇ, ଗୋରା ସିଂ, ପ୍ରମୁଖ ଉପସ୍ଥିତ ଥିଲେ ।