ଯୁବ ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’ କୁ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) କଳାହାଣ୍ଡି :- ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପାଇଁ କଳାହାଣ୍ଡିର ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗଳ୍ପ ସଂକଳନ ‘ଖଂଗାର୍‌’ ଯୋଗ୍ୟ ବିବେଚିତ ହୋଇଛି । ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀରଙ୍କ ଉକ୍ତ ପୁସ୍ତକ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୦ ସଂକ୍ଷିପ୍ତ ସୂଚୀରେ ସାମିଲ ହୋଇଥିଲା ।

ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଶ୍ରୀ ଧଙ୍ଗଡ଼ାମାଝୀ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରସାରିତ ଯୁବବାଣୀର ଉପସ୍ଥାପକ ଭାବେ ସେ ଶ୍ରୋତା ମହଲରେ ଲୋକପ୍ରିୟ ଥିବାବେଳେ ଆକାଶବାଣୀର ଗ୍ରେଡ୍‌-ବି ନାଟକ କଳାକାର ଭାବେ ସ୍ୱୀକୃତ । ଏଥିସହ ସେ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ଦେଶର ବିଭିନ୍ନ ସ୍ଥାନରେ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । ନୀଲା ଫିଲ୍ମସ୍ ପକ୍ଷରୁ ନିର୍ମିତ ଚଳଚ୍ଚିତ୍ର ‘ଏ ରେଡ୍ ସାର୍ଟ୍‌’ରେ ସେ ବଲିଉଡ୍ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି ।

ସଂପ୍ରତି ଶିକ୍ଷା ବିଭାଗରେ ସିଆର୍‌ସିସି ଭାବେ ଅବସ୍ଥାପିତ ସୁଧୀର ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, ଗ୍ଲୋବାଲ୍ ଲାଇଫ୍‌ନେଚର୍ ଫାଉଣ୍ଡେସନ୍‌ର ଆବାହକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସାଧାରଣ ସଂପାଦକ, ‘ସାହିତ୍ୟ କଥା’ର ସହ-ସଂପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ସମ୍ବାଦପତ୍ର ‘ମସୀହା’ର ବାର୍ତ୍ତା ସଂପାଦକ ଓ ସାହିତ୍ୟ ପତ୍ରିକା ‘ମହୁରି’ର ସହ-ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି । ସାରସ୍ୱତ ସାଧନା ପାଇଁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ମୁଲାକାତ୍ ଏବଂ ୱାର୍ଲ୍ଡ ଏସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍‌ଚର୍ ଆୟୋଜିତ ୩୯ତମ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇସାରିଛନ୍ତି ।

ଆସନ୍ତା ୧୯ ତାରିଖ ଦିନ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁଥିବା ‘ଉତ୍‌ସାହିତ୍ୟ’ ସମାରୋହରେ ତାଙ୍କୁ ପୁରସ୍କୃତ କରାଯିବ । ଏଥିରେ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ପ୍ରସିଦ୍ଧ ହିନ୍ଦୀ ଲେଖକ ଧ୍ରୂବ ଶୁକ୍ଳା, ବିଶିଷ୍ଟ କଥାକାର ଗୌରହରି ଦାସ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ ଦାସ, ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା ପ୍ରମୁଖ ଯୋଗଦେବେ ବୋଲି ଟାଇମ୍‌ପାସ୍‌ର ନିର୍ଦ୍ଦେଶକ ସରୋଜ ବଳ ସୂଚନା ଦେଇଛନ୍ତି ।