ରାଉରକେଲା : ଘରର କାନ୍ଥରେ ବିଧାୟକଙ୍କ ନିଖୋଜ ପୋଷ୍ଟର – ବିଧାୟକ ସୁବ୍ରତ ତରାଇ ନିଖୋଜ !


ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ରାଉରକେଲା :- ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଥିବା ବସ୍ତିରେ ବିଜ଼େଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ ଅଛନ୍ତି ନିଖୋଜ । ନା ନେତାଙ୍କ ଦର୍ଶନ ମିଳୁଛି ନା ମୌଳିକ ସୁବିଧା ମିଳୁଛି। ଫଳରେ ଅତିଷ୍ଠ ହୋଇ ଏପରି ପଦକ୍ଷେପ ନେଇଛନ୍ତି ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଥିବା ବସ୍ତିବାସିନ୍ଦା । ଏପରିକି ବସ୍ତିର କାନ୍ଥ ବାଡ଼ରେ ଲଗାଇ ଦେଇଛନ୍ତି ବିଧାୟକଙ୍କ ନିଖୋଜ ପୋଷ୍ଟର । ଅତି କମ୍‌ରେ ଏହା ଉପରେ ବିଧାୟକଙ୍କ ନଜର ପଡ଼ିଲେ ସେମାନଙ୍କ ସମସ୍ୟା ସମାଧାନ କରିପାରନ୍ତି ବୋଲି ଆଶା ବି ରଖିଛନ୍ତି । ନିଜ ବିଧାୟକଙ୍କ କ୍ରମାଗତ ଅବହେଳାରେ ଅତିଷ୍ଠ ହୋଇପଡିଥିବା ସ୍ଥାନୀୟ ବାସିନ୍ଦା ଏଭଳି ପୋଷ୍ଟର ମାରି ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି ।

ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବସ୍ତିର ସ୍କୁଲ ଘର ଓ କ୍ଲବ ଘର ଓ ଘରର କାନ୍ଥରେ ବିଧାୟକଙ୍କ ନିଖୋଜ ପୋଷ୍ଟର ମରାଯାଇଛି । ତେବେ ଏନେଇ ସୁବ୍ରତ ତରାଇଙ୍କ ପ୍ରତିକ୍ରିୟା ମିଳିପାରିନି । ଏନେଇ ବସ୍ତି ବାସିନ୍ଦା କହିଛନ୍ତି, ବିଧାୟକ ନିର୍ବାଚନ ପୂର୍ବରୁ ଦେଖା ଦେଇଥିଲେ। ଏହାପରେ ଅତି କମ୍‌ରେ ୪ ବର୍ଷ ବିତି ସାରିଲାଣି । ପୁଣି ଥରେ ନିର୍ବାଚନ ପାଖେଇ ଆସିଲାଣି । ହେଲେ ବିଧାୟକଙ୍କ ଦର୍ଶନ ମିଳୁନି । ଆମ୍ ବସ୍ତିରେ ସମସ୍ୟାର ଲମ୍ବା ଲାଇନ୍‌ ଲାଗିଥିବା ବେଳେ ସମାଧାନ କରିବାକୁ କାହାର ଦର୍ଶନ ମିଳୁନି ।

ଆମ ବସ୍ତିରେ ଶୌଚାଳୟ ନାହିଁ, ଆବର୍ଜନା ଏଣେ ତେଣେ ପଡ଼ି ରହୁଛି, ଏହାକୁ ନେବାକୁ ଗାଡ଼ି ଆସୁନି । ତେଣୁ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛୁ । ଏପରି ସମସ୍ୟା ଲାଗି ରହିଥିବା ବେଳେ ବିଧାୟକ ଆମକୁ ଧରାଛୁଆଁ ଦେଉ ନାହାନ୍ତି। ତେଣୁ ଦୁଃଖ କାହାକୁ ଜଣାଇବୁ, କିଏ ଆମ ସମସ୍ୟା ସମାଧାନ କରିବ । ଏଥିସହ ସେମାନେ କହିଛନ୍ତି, ନିର୍ବାଚନ ପୂର୍ବରୁ ବିଧାୟକ ଆସି ଭୋଟ ମାଗିଥିଲେ। ଜିତିଲେ ପାଣି ସମସ୍ୟା, ରାସ୍ତା, ଶୌଚାଳୟ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ମିଠା ମିଠା କଥା କହି ଜିତି ତ ଗଲେ ହେଲେ ଆଉ ଧରାଛୁଆଁ ଦେଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ବିଧାୟକ ନିଖୋଜ ବୋଲି ପୋଷ୍ଟର ମାରିଛୁ । ଏନେଇ ବିଧାୟକଙ୍କୁ ଫୋନ୍‌ କରାଯାଇଥିଲେ ବି ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ।