ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି

ମୋ ସରକାର ରେ ପ୍ରତିକୂଳ ମତାମତର ପ୍ରଭାବ : ୩ ଜଣ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ RI ଚାକିରୀ ରୁ ବହିଷ୍କୃତ । ୨ ଜଣ ପୂର୍ବତନ ଅଧିକାରୀ ଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଗଲା ଏପର୍ଯ୍ୟନ୍ତ ୧୪୦ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍‌ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲ୍‌ଟି ଓ ଛତ୍ରପୁର ଏନ୍‌.ଏ.ସି.ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଶ୍ରୀମତୀ ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି । ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି । ବେଲପାହାଡ ମ୍ୟୁନିସିପାଲ୍‌ଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ଅପାରଗତା ଓ ଅସାଧୁତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଝାରସୁଗୁଡା ମ୍ୟୁନିସ୍‌ପାଲିଟ୍‌ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପୁରୀ ଜିଲ୍ଲା ବେତାଲ ଆର.ଆଇ ସର୍କଲର ରାଜସ୍ବ ନିରୀକ୍ଷକ ଶ୍ରୀ ମନୋଜ କୁମାର ପରିଡାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଉପରୋକ୍ତ ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ମୋ ସରକାର feedbackରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ ।

ଏହାସହିତ ଓଡିଶା ପୋଲିସ ସେବା ଅଧିକାରୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍‌.ପି ତଥା ହୋମଗାର୍ଡର ପୂର୍ବତନ ଡି.ଏସ୍‌.ପି ଶ୍ରୀ ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍‌ର ପୂର୍ବତନ ଏ.ଏଫ.ଓ ଶ୍ରୀ ଏପିଲି ଉଦୟନାଥଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି ।