ଦୈନିକ ସମ୍ବାଦପତ୍ର ସର୍ବସାଧାରଣ ର ଦ୍ୱାଦଶ ବାର୍ଷିକୋତ୍ସବ “ସର୍ବସାଧାରଣ” ସାଧାରଣ ଲୋକଙ୍କ ସ୍ୱର ହୋଇଛି – ମନ୍ତ୍ରୀ ରଘୁନନ୍ଦନ ଦାସ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ଭୁବନେଶ୍ୱର :- ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ଦ୍ୱାଦଶ ବାର୍ଷିକୋତ୍ସବ ଆଜି ସଂଧ୍ୟାରେ ଭୁବନେଶ୍ୱର ଇନ୍‌ଫୋସିଟି ରୋଡ୍‌, ପଟିଆସ୍ଥିତ ସର୍ବସାଧାରଣ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ମାତ୍ର ୧୨ ବର୍ଷର ସମ୍ବାଦ ପତ୍ର ‘ସର୍ବସାଧାରଣ’ ଆଜି ସାହିତ୍ୟ ଓ ସମ୍ବାଦ ପତ୍ର ପ୍ରକାଶନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛି । ଏହି ସମ୍ବାଦପତ୍ର ଗୁଣାତ୍ମକ ସମ୍ବାଦ ପରିବେଷଣ କରିବା ସହ ଏହା ସାଧାରଣ ଲୋକଙ୍କ ସ୍ୱର ହୋଇଛି ।

ଏହାକୁ ଉଚ୍ଚତର ସୋପାନରେ ପହଁଚାଇବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଖ୍ୟାତନାମା କବି ତଥା ଚିନ୍ତକ ଶ୍ରୀ ହରପ୍ରସାଦ ଦାସ କହିେଲେ ଯେ, ଜନମତକୁ ପ୍ରତିଫଳିତ କରିବାରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗଣତନ୍ତ୍ର ଓ ବୌଦ୍ଧିକ ନିରପେକ୍ଷତା ସଂପର୍କରେ ସେ ତୁଳନାତ୍ମକ ବିଶ୍ଳେଷଣ କରିବା ସହିତ ଜନସାଧାରଣଙ୍କୁ ସଂବାଦ ପ୍ରକାଶନରେ ସହଯୋଗ କରିବା ଓ ସମ୍ବାଦ ପ୍ରକାଶନରେ ସକରାତ୍ମକ ଦୃଷ୍ଟି ଭଙ୍ଗୀର ଆବଶ୍ୟକତା ସଂପର୍କରେ ସେ ଆଲୋକପାତ କରିଥିଲେ । ବିଭିନ୍ନ ଦେଶର ଉଦାହରଣ ଦେଇ ରାଜନୈତିକ ଗଣତନ୍ତ୍ର ଅପେକ୍ଷା ସଭ୍ୟତାଭିତିକ ଗଣତନ୍ତ୍ର ଜରୁରୀ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ ।

ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ୱରଂଜନ ଯୋଗଦେଇ କହିଲେ ଯେ, ସମ୍ବାଦପତ୍ର ଆଜି ଜନସାଧାରଣଙ୍କ ଜୀବନରେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ଜାତିର ପିତା ମହାତ୍ମାଗାନ୍ଧି, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ବିଶିଷ୍ଟ ଜନନାୟକମାନେ ରାଜନୈତିକ ଚେତନାକୁ ଜାଗ୍ରତ କରିବାକୁ ସମ୍ବାଦପତ୍ର ପାଇଁ ଲେଖୁଥିଲେ ା ବିଶ୍ୱ ତଥା ଦେଶର ବହୁ ବିଶିଷ୍ଟ ସ୍ତମ୍ଭକାରମାନଙ୍କ ଲେଖାର ଉଦାହରଣ ଦେଇ ଜନମତର ସଠିକ ଉପସ୍ଥାପନ ଓ ସମାଜସେବାର ସାଧନ ସମ୍ବାଦପତ୍ରର ପ୍ରମୁଖ ଆବଶ୍ୟକତା ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । ଗଠନମୂଳକ ଲେଖା ପ୍ରକାଶନ ଓ ବିକାଶମୂଳକ ସାମ୍ବାଦିକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ସର୍ବସାଧାରଣ ଖବରକାଗଜର ସଂପାଦକ ତଥା ଉତ୍ସବର ସଭାପତି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ କହିଲେ ଯେ, କୋଭିଡ୍ କଟକଣା ସତ୍ୱେ ପ୍ରତିକୂଳ ପରିସ୍ଥିତିରେ ସର୍ବସାଧାରଣ ଖବରକାଗଜର ପ୍ରତିନିଧିମାନେ ଭଲ କାମ କରିଛନ୍ତି । ସର୍ବସାଧାରଣ ଏକ ନିଆରା ଢଙ୍ଗର ଖବରକାଗଜ । ଜନସାଧାରଣଙ୍କର ସ୍ୱର, ଦୁଃଖ ଓ ପ୍ରତିବେଦନକୁ ଏହା ଲୋକମାନଙ୍କ ଆଗରେ ପ୍ରକାଶ କରିଥାଏ । ସଂପ୍ରତି ଖବର ପ୍ରକାଶନରେ ଆଂଚଳିକ ଖବରକାଗଜ ଅଧିକ ପ୍ରଭାବୀ ଥିବା ବେଳେ , ବିତଶାଳୀ ବ୍ୟକ୍ତି, ରାଜ୍ୟ ତଥା କେନ୍ଦ୍ର ସରକାର ସହଯୋଗର ହାତ ବଢାଇଲେ ଖବରକାଗଜ ଆଗକୁ ଭଲ କରିବ ବୋଲି ସେ ପ୍ରକାଶ କରିଥିଲେ ।

ସର୍ବସାଧାରଣ କାର୍ଯ୍ୟାଳୟର ଉନ୍ନତି ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା କ୍ରାନ୍ତିଧାରାର ପ୍ରାକ୍ତନ ସଂପାଦକ ଶ୍ରୀ ସଂଜୟ ଦାସବର୍ମାଙ୍କ ପ୍ରୋତ୍ସାହନ ଓ ପ୍ରେରଣା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ । ସର୍ବସାଧାରଣ ଖବରକାଗଜର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ଜୟସିଂହ କୋଭିଡ ସ୍ଥିତିରେ ସମ୍ବାଦ ପ୍ରକାଶନ କିପରି ଆହ୍ୱାନମୂଳକ ରହିଥିଲା, ସେ ସଂପର୍କରେ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସର୍ବସାଧାରଣ ଖବରକାଗଜର ଜିଲ୍ଲା ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବସାଧାରଣ ସମ୍ବାଦପତ୍ରର ବାର୍ତା ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।