ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର ଓଡ଼ିଶାର ଲୋଧା ଜନଜାତିଙ୍କ ପାରମ୍ପରିକ କଳା ଓ କାରିଗରୀ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ନଭେମ୍ବର ୨୮ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti i ଖୋଲି ଓଡ଼ିଶାର ଲୋଧା ଜନଜାତିଙ୍କ କଳା ଓ କାରିଗରୀ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଗୋଲ୍‌ଡେନ୍‌ ଗ୍ରାସ୍‌ ନାମରେ ପରିଚିତ ସବାଇ ଘାସ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ଦେଖାଯାଏ । ପାରମ୍ପରିକ ଭାବେ ଲୋଧା ଜନଜାତି ସେମାନଙ୍କର ସରଳ ଉପକରଣ ଯୋଗେ ସବାଇ ଘାସରୁ ଦଉଡ଼ି ପ୍ରସ୍ତୁତ କରିଥା’ନ୍ତି । ପ୍ରସ୍ତୁତ ହୋଇଥିବା ଦଉଡ଼ିକୁ ଘରକରଣା ସାମଗ୍ରୀ ପ୍ରସ୍ତୁତରେ ବ୍ୟବହାର କରିବା ପରେ ଅବଶିଷ୍ଟକୁ ବଜାରରେ ବିକ୍ରୟ କରି ରୋଜଗାର କରିଥା’ନ୍ତି ।

ସବାଇ ଘାସ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଅଂଶ । ଅତୀତରେ ଦଉଡ଼ି ତିଆରି କରିବା ପାଇଁ ଫାଶ ଘରେଇ ବ୍ୟବହାର କରୁଥିଲେ । ଏବେ ସବାଇ ଘାସରେ ଦଉଡ଼ି ପ୍ରସ୍ତୁତି ନିମନ୍ତେ ସେମାନେ ସରଳ ଯାନ୍ତ୍ରିକ ଉପକରଣ ବ୍ୟବହାର କରୁଛନ୍ତି । କ୍ରମଶଃ ସବାଇ ଘାସ ପ୍ରସ୍ତୁତ ସାମଗ୍ରୀ ଜନସାଧାରଣଙ୍କ ଦ୍ୱାରା ଆଦୃତ ହେଉଅଛି ଏବଂ ପ୍ରସିଦ୍ଧି ଲାଭ କରିଛି ।