ପ୍ରଥମାଷ୍ଟମୀରେ କରନ୍ତୁ ସ୍ୱାଦିଷ୍ଟ ଓ ନରମ ଏଣ୍ଡୁରି ପିଠା

ଜାଣନ୍ତୁ ପ୍ରସ୍ତୁତି ବିଧି

 

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଆଜି ପ୍ରଥମାଷ୍ଟମୀ । ଏହି ଅବସରରେ ପ୍ରତି ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ଏକ ସ୍ୱତନ୍ତ୍ର ପିଠା, ଯାହା କେବଳ ବର୍ଷକୁ ଥରେ ଅଷ୍ଟମୀ ଅବସରରେ ହିଁ ହୋଇଥାଏ । ହଳଦୀ ପତ୍ରରେ ପ୍ରସ୍ତୁତ ପିଠାକୁ ଏଣ୍ଡୁରି ପିଠା ବୋଲି କୁହାଯାଏ । ତେବେ ଏଣ୍ଡୁରି ପିଠାକୁ ନରମ ଓ ସ୍ୱାଦିଷ୍ଟ କରିବା ପାଇଁ ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ

ପିଠା ଚାଉଳ, ବିରି, ନଡ଼ିଆ କୋରା, ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ, ଲୁଣ, ହଳଦୀ ପତ୍ର, ଅଳେଇଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପିଠା ଚାଉଳ ଓ ବିରିକୁ ଅଲଗା ଅଲଗା ପାତ୍ରରେ କିଛି ସମୟ ପାଇଁ ପାଣିରେ ବତୁରାଇ ଦେବେ । ଭଲରେ ଏହି ସବୁ ବତୁରିଗଲା ପରେ ଏହାକୁ ଅଲଗା ଅଲଗା ଗ୍ରାଇଣ୍ଡିଂ କରିଦେବେ । ମନେ ରଖିବେ ଗ୍ରାଇଣ୍ଡିଂ କଲା ବେଳେ ବେଶୀ ପାଣି ଦେବେ ନାହିଁ । କାରଣ ଏଣ୍ଡୁରି ପିଠା ପାଇଁ ବହଳିଆ ପିଠଉ ଦରକାର ପଡ଼ିଥାଏ । ଗ୍ରାଇଣ୍ଡିଂ କରିବା ପରେ ବିରି ଓ ଚାଉଳ ବଟାକୁ ଭଲ ଭାବେ ମିଶ୍ରଣ କରିଦେବେ । ପିଠଉକୁ ଫୁଲିବା ପାଇଁ । ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦେବେ ।

ଏହାପରେ ପିଠା ପାଇଁ ପୂର ପ୍ରସ୍ତୁତ କରିବେ । ନଡ଼ିଆ କୋରା, ଛେନା, ଗୁଡ଼, ଅଳେଇଚ ଓ ଗୋଲ ମରିଚ ଗୁଣ୍ଡ ମିଶାଇ ପୂର ପ୍ରସ୍ତୁତ କରିବେ। ତା’ପରେ ଅଥାର ଗଢ଼ିବେ । ପୂର୍ବରୁ ମାଟିହାଣ୍ଡିରେ ବଡ଼ ସୁନ୍ଦର ଭାବେ ଆମ ଜେଜେମା’ମାନେ ଅଥାର କରୁଥିଲେ । ଆଜିକାଲି ଆଉ ଅଥାର ନାହିଁ, ଇଟିଲି ଛାଞ୍ଚରେ ହଳଦୀ ପତ୍ରରେ ରଖି ପିଠାକୁ ସିଝାଇ ଦେବେ ।

ଏବେ ଖାଆନ୍ତୁ ଓ ଖୁଆନ୍ତୁ ନରମ ଏଣ୍ଡୁରି ପିଠା