ରାଜ୍ୟ ସରକାରକୁ ବିଜେପି କୃଷକ ମୋର୍ଚ୍ଚାର ତାଗିଦ : ମଣ୍ତିରେ ମଲର୍ସର ରାଜୁତି ବନ୍ଦ କର – ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ଯ ୧୯୪୦ ଟଙ୍କା ଯୋଗାଇ ଦିଅ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) ପଦ୍ମପୁର :- ଧାନ କିଣା ବିକାର ଅବ୍ଯବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ମଣ୍ତି ମାନଙ୍କରେ ମିଲର୍ସ ର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ବିଣ୍ଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ଯ ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ତାଗିଦ କରିଛି । ଗତକାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ଖାଦ୍ଯ ଯୋଗାଣ ବିଭାଗ ସଚିବ ଅନୁପସ୍ଥିତ ରେ ସ୍ବତନ୍ତ୍ର ସଚିବ ଶ୍ରୀ ରାଜେନ୍ଦ୍ର ମିଶ୍ରଙ୍କୁ ସଚିବାଳୟ ଠାରେ ଏ ସମ୍ବନ୍ଧୟ ଦାବୀପତ୍ର ଦେବା ସହ ଚାଷୀ ମାନେ କିଭଲି ସୁରୁଖୁରୁରେ ମଣ୍ତିରେ ଧାନ ବିକ୍ରୀ କରି ପାରିବେ ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ ।

ମିଲର୍ସ ମାନେ ରାଜ୍ଯର ସମସ୍ତ ମଣ୍ତି ନିୟନ୍ତ୍ରଣ କରି ଧାନ କିଣା ବିକାରେ ମୁଖ୍ଯ ଭୂମିକା ନିଭାଉ ଥିବାରୁ ପ୍ରତି କ୍ବିଣ୍ଟାଲରେ ମିଲର୍ସ ମାନେ ବାଧ୍ଯ ବାଧକତା ୧୦ ରୁ ୧୨ କେଜି ଧାନ କଟନି ଛଟନି କରୁଛନ୍ତି । ଏହା ଦ୍ବାରା ଚାଷୀ ମାନେ ଶୋଷଣର ଶୀକାର ହେଉଥିବା ବେଳେ ମିଲର୍ସ ମାନେ କୋଟି କୋଟି ଟଙ୍କା ମୁନାଫା ପାଉଛନ୍ତି,କୃଷକ ମୋର୍ଚ୍ଚା ସରକାରଙ୍କୁ ଏ ଦିଗରେ ତାଗିଦ କରିଛି । ଚାଷୀ ଯେତେ ଧାନ ଉତ୍ପାଦନ କରିଛି ରାଜ୍ୟ ସରକାର ସମସ୍ତ ଧାନ କିଣିବା ସହ ଗୋଟିଏ ମଧ୍ଯ ଟୋକନ ଲେପ୍ସ ହେବା କଥା ନୁହେଁ ବୋଲି କୃଷକ ମୋର୍ଚ୍ଚା ସରକାରଙ୍କୁ ପରାମର୍ଶ ଦେଇଛି ।

ଅଖା,ସୁତୁଲି,ପରିବହନ,ଶ୍ରମ ଖର୍ଚ୍ଚ କେନ୍ଦ୍ର ସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବେଳେ ଚାଷୀଙ୍କ ନାଁରେ ଆସୁଥିବା ଟଙ୍କା କୁ ସମବାୟ ବିଭାଗ ଓ ମିଲର୍ସ ମାନେ ଭାଗବାଣ୍ଟି ନେଉଥିବା ଅଭିଯୋଗ ହେଉଛି । ଆରଏମସି ଓ ପେକ୍ସ ମାନଙ୍କରେ ପର୍ଯ୍ୟପ୍ତ ପରିମାଣରେ ଧାନ କିଣା ବିକାର କମିଶନ ଟଙ୍କା ଗଛିତ ଥିବାବେଳେ ମଣ୍ତିର ଭିତ୍ତିଭୂମିର ବିକାଶରେ ଟଙ୍କାଟିଏ ଖର୍ଚ୍ଚ କରୁ ନଥିବାରୁ ମଣ୍ତିରେ ଚାଷୀଙ୍କ ଧାନ ବହୁ ପରିମାଣରେ ନଷ୍ଟ ହେଉଛି । ଏ ସମସ୍ତ ପ୍ରସଙ୍ଗରେ ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କରି ମିଲର୍ସ ଙ୍କ ସ୍ବାର୍ଥ ସୁରକ୍ଷା କଲେ ଆଗାମୀ ଦିନ ବିଜେପି କୃଷକ ମୋର୍ଚ୍ଚା ସାରା ରାଜ୍ଯରେ ବ୍ଯାପକ ଆନ୍ଦୋଳନ କରିବ ବୋଲି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି । ସ୍ବତନ୍ତ୍ର ସଚିବଙ୍କ ସହ ସଚିବାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ କୃଷକ ମୋର୍ଚ୍ଚାର ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ କାମାକ୍ଷା ପ୍ରଧାନ,ରାଜ୍ୟ ଉପ ସଭାପତି ଶ୍ରୀ ହୃଷିକେଶ ନାୟକ,ଶ୍ରୀ ରାଧାକାନ୍ତ ମହନ୍ତ ଉପସ୍ଥିତ ଥିଲେ ।