ପଞ୍ଚକ ପଛର ଗହନ କଥା – ବ୍ଯଙ୍ଗକବି ଧର୍ମଛଡା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଭୁବନେଶ୍ୱର :- ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ । କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ । କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ । ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ । ଶୁକ୍ଳ ଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ । ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ । ପଞ୍ଚକ ପାଞ୍ଚଦିନ ଭାଗବତ ଏବଂ ଗୀତା ପାଠ କରିବା ବିଧେୟ ବୋଲି ଶାସ୍ତ୍ର କହେ I ସ୍କନ୍ଦ ପୁରାଣ ମତରେ ଏହି ପଞ୍ଚକ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠକଲେ ପାପରୁ ମୁକ୍ତ ହେବାସହ ନିର୍ବାଣ ପ୍ରାପ୍ତ ହୋଇଥାଏ ।

“ କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି I”

ବଡ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପଡେ ଭିଷ୍ମ ପଞ୍ଚକ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର କରିଥାନ୍ତି । କୁହାଯାଏ ପଞ୍ଚକ ପାଞ୍ଚ ଦିନ ଯାକ ବକ ମଧ୍ୟ ମାଛ ଖାଇନଥାଏ। ଚତୁଃମାସ୍ୟ ବ୍ରତ ସମାପ୍ତ ହେଉଥିବା ଯୋଗୁଁ ଏହାକୁ ଚତୁଃମାସ୍ୟ ପଞ୍ଚକ ବୋଲି କୁହାଯାଇ ଥାଏ। ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡ ଓଷା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ଠାରେ ଅନୁଷ୍ଠିତ ହୋଇଥାଏ । ପୂର୍ଣ୍ଣିମା ଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀ ପୋଖରୀରେ ଡଙ୍ଗା ଭସା ଉତ୍ସବ ପାଳନ କରାଯାଏ । ଓଡ଼ିଶାର ସାଧବପୁଅ ମାନଙ୍କ ନୌବାଣିଜ୍ୟ ସ୍ମୃତିକୁ ମନେପକାଇ ପୂର୍ଣ୍ଣିମା ଠାରୁ କଟକର ଆରମ୍ଭ ହୋଇଯାଏ ଐତିହାସିକ ବାଲିଯାତ୍ରା ।

କିମ୍ବଦନ୍ତୀ ଅନୁସାରେ ବଗସବୁ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ । ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଜଳର ଇଚ୍ଛା କରିଛନ୍ତି । ଅର୍ଜୁନ ବାଣଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହମନ ସନ୍ତୁଷ୍ଟ ହେଲା ।

ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ ଓ ଏହା ପ୍ରତିବର୍ଷ ପାଳିତ ହେବ” । ପଞ୍ଚକରେ ଅର୍ଘ୍ୟଦାନ ମନ୍ତ୍ର ହେଉଛି- “ବୈୟାଘ୍ୟପଦ ରୋତ୍ରାୟ ସାଙ୍କୃତ ପ୍ରବରାୟ ଚ ଅପୁତ୍ରାୟ ଦଦାମ୍ୟେତ ଦୁଦକଂ ଭୀଷ୍ମ ବର୍ମଣେ ବତ୍ସନାମବତାରାୟ ଶନ୍ତନୋ ରାତ୍ମଜାୟ ଚଅର୍ଘ୍ୟଂ ଦଦାମି ଭୀଷ୍ମାୟ ଆଜନ୍ମ ବ୍ରହ୍ମଚାରିଣେ I” ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନକରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନ କରନ୍ତି ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି ।

ଶେଷ ପାଞ୍ଚଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ- ବୃନ୍ଦାବତୀ ଦାନବ ରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମର ବର ମିଳିନଥିଲେ ବି ପତ୍ନୀଙ୍କ ସତୀତ୍ବ ନଷ୍ଟ ହେଲେ ଯାଇ ତାଙ୍କର ମୃତ୍ୟୁ ହେବ ବୋଲି ବର ମିଳିଥିଲା । ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥିଲା ଜଳକନ୍ଧର । ଶେଷରେ ତାଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧର ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ବ ହରଣ କରିଥିଲେ । ଏହି ଘଟଣାରେ ବୃନ୍ଦାବତୀଙ୍କ ସତୀତ୍ଵ ଉପରେ ପ୍ରଶ୍ନ ହେବାରୁ ତାଙ୍କୁ ପଞ୍ଚବନୀ ରସ ବା ଅମୃତ ରସରେ ପବିତ୍ର କରାଯାଇଥିଲା । ଏହି ପଞ୍ଚବନୀ ଶଦ୍ଦରୁ ପଞ୍ଚକ ଶଦ୍ଦ ଯାତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରାଯାଇଥିବା ବେଳେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ ।

ଶ୍ରୀମନ୍ଦିରରେ ପଞ୍ଚକ ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ।

●ଏକାଦଶୀରେ: ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
●ଦ୍ୱାଦଶୀରେ: ବାଙ୍କଚୂଡ଼ା ବେଶ ବା ବାମନ ବେଶ
●ତ୍ରୟୋଦଶୀରେ: ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
●ଚତୁର୍ଦ୍ଦଶୀରେ: ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
●ପୂର୍ଣ୍ଣମୀରେ: ରାଜରାଜେଶ୍ୱର ବେଶ ବା ସୁନାବେଶ

ମଳତିଥିରେ :-

ନାଗାର୍ଜୁନ ବେଶ (କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ।) ପଞ୍ଚକ ଅବସରରେ ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଜଗନ୍ନାଥଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ । କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ।