ବିରି ମାଡ଼ ଦେଖି କୋଳଥ ଚେପା : ‌ସୋସିଆଲ ମିଡିଆରୁ ବାଇକ୍ ଷ୍ଟଣ୍ଟ୍ ଗ୍ରୁପ୍ ଆଇଡି ଗାୟବ୍‌ !

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ଭୁବନେଶ୍ୱର :- ରାଜଧାନୀରେ ଖଣ୍ଡା, ଭୁଜାଲି, ବନ୍ଧୁକ ଧରି ସଂଘବଦ୍ଧ ଆତଙ୍କ ଖେଳାଉଥିବା କେବିଏନ୍‌ ଗ୍ରୁପ୍‌ର ପର୍ଦ୍ଦାଫାସ୍‌ କରିବା ପାଇଁ କମିସନରେଟ୍‌ ପୁଲିସ ଜୋରଦାର ଉଦ୍ୟମ ଚଳାଇଛି । ସୋସିଆଲ ମିଡିଆରେ ଭୟାନକ ଭିଡିଓ ପୋଷ୍ଟ କରି ରାଜଧାନୀବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବାରୁ ପୁଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ ଜଣଙ୍କ ପରେ ଜଣେ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରୁଛି । ଇତି ମଧ୍ୟରେ ୭ଜଣଙ୍କୁ ଗିରଫ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଭୟରେ ୨ଜଣ ଆତ୍ମସମର୍ପଣ କରିସାରିଛନ୍ତି । କଟକରେ ବି ମାତିଥିବା ଏଭଳି ଏକ ଗ୍ରୁପ୍‌ (ପବ୍ଲିକ୍‌ ଷଣ୍ଢ, ଅମାନିଆ ବାଘ)ର କିଛି ସଦସ୍ୟଙ୍କୁ ଗିରଫ କରାଯାଇଛି ।

ତେବେ କମିସନରେଟ୍‌ ପୁଲିସର ଏଭଳି କଡ଼ା ଆଭିମୁଖ୍ୟ ଦେଖି ରାଜଧାନୀରେ ଉତ୍ପାତ କରୁଥିବା ଆଉ କିଛି ଗୋଷ୍ଠୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି । ବିଶେଷକରି ବାଇକ୍‌ରେ ଷ୍ଟଣ୍ଟ ଦେଖାଇ ସର୍ବସାଧାରଣ ସ୍ଥାନରେ ଆତଙ୍କ ଖେଳାଇବାର ଭିଡିଓ ଅପଲୋଡ୍‌ କରୁଥିବା ଗ୍ରୁପ୍‌ର ନିଦ ହଜି ଯାଇଛି । କମିସନରେଟ୍‌ ପୁଲିସ କାଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସେହି ଭୟରେ ସେମାନେ ସୋସିଆଲ ମିଡିଆରୁ ଗାୟବ୍‌ ହୋଇ ଯାଇଛନ୍ତି । ଗତ କିଛି ଦିନ ହେଲା, ସେମାନଙ୍କ ଆକାଉଣ୍ଟ ଆଉ ସୋସିଆଲ ମିଡିଆରେ ଦେଖିବାକୁ ମିଳୁନାହିଁ ।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରେ ୪ଟି ବାଇକ୍ ଷ୍ଟଣ୍ଟ ଗ୍ରୁପ୍ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିଲେ ।

ସଂଧ୍ୟା ହେବା ମାତ୍ରେ ଏମାନେ ଅଞ୍ଚଳରେ ସଂଘବଦ୍ଧ ଭାବେ ଘୂରି ବୁଲି ଉତ୍ପାତ କରୁଥିଲେ । ଦ୍ରୁତଗତିରେ ବାଇକ୍‌ ଚଳାଇବା ସହ ବାଇକ୍‌ ଷ୍ଟାଣ୍ଡକୁ ରାସ୍ତାରେ ଘଷି ନିଆଁ ବାହାର କରିବା, ବିକଟାଳ ହର୍ଣ୍ଣ ମାରି ଲୋକଙ୍କୁ ହଇରାଣ ହରକତ କରୁଥିଲେ । ଏପରିକି ଲୁଟ୍‌, ଛିନ୍‌ତାଇ କରିବାକୁ ବି ପଛାଉ ନ’ଥିଲେ । ଆଉ ଏ ସବୁର ଭିଡିଓ ସେମାନେ ସୋସିଆଲ ମିଡିଆରେ ଅପଲୋଡ୍‌ କରୁଥିଲେ । କିନ୍ତୁ ପୁଲିସ୍ କେବିଏନ୍ ଗ୍ରୁପ୍ ଉପରେ ଆକ୍ସନ ନେବା ପରେ ଏହି ଗ୍ରୁପ୍‌ଗୁଡ଼ିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ରୁପ୍‌ରେ ପଟିଆ ଅଞ୍ଚଳର ଦୁଇଟି ପ୍ରତିଷ୍ଠିତ ପରିବାରର ପିଲା ଓ ମଞ୍ଚେଶ୍ବର ଅଞ୍ଚଳର ଦୁଇ ଅଟୋ ଚାଳକ ସାମିଲ ଅଛନ୍ତି ।

ଅଟୋ ଚାଳକ ଦ୍ବୟଙ୍କ ନାମରେ ମଞ୍ଚେଶ୍ବର ଥାନାରେ ଅନେକ ଚୋରି ଅଭିଯୋଗ ମଧ୍ୟ ରହିଛି । ସେହିଭଳି ଇନ୍‌ଫୋସିଟି ଥାନା ଅଧୀନ କିଛି ବସ୍ତିର ଅସାମାଜିକ ଯୁବକ ମଧ୍ୟ ଏହି ଗ୍ରୁପରେ ସାମିଲ ଅଛନ୍ତି । ଆଇଡି ବ୍ଲକ୍ ହୋଇଥିଲେ ମଧ୍ୟ ପୁଲିସ୍ ଏମାନଙ୍କ ଗତିବିଧି ଉପରେ ନଜର ରଖିଛି । ପ୍ରମାଣ ପାଇଲା ମାତ୍ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂପୃକ୍ତ ଥାନା ଅଧିକାରୀମାନେ କହିଛନ୍ତି । (ଇଫତେଖାର ଅଲ୍ଲୀ)