“ମାନବ ସେବା ହିଁ ମାଧବ ସେବା” ୯୦ ନିରାଶ୍ରୟଙ୍କୁ ସେବା ପ୍ରଦାନ କରିଛି “ଟିମ କ୍ଲିନ ସିଟି”

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ବ୍ରହ୍ମପୁର :- ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ଆଧାର କରି ସାମାଜିକ ସେବା କାର୍ଯ୍ୟ ଜାରି ରଖିଛି ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି । ଗତ ଦୁଇ ବର୍ଷରୁ ଅଧିକ କାଳ ଧରି ଟିମ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି ।

 

ତେବେ ଟିମ ସଦସ୍ୟଙ୍କ ଦ୍ୱାରା ରାସ୍ତା କଡରେ ଖୋଲା ଆକାଶ ତଳେ ଦୁର୍ବିଶହ ଜୀବନ ବିତାଉଥିବା ନିରାଶ୍ରୟ ତଥା ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର କରି ସେବା ଯୋଗାଇବା ଓ ଅନ୍ୟତ୍ର ସ୍ଥାନାନ୍ତର କରିବା ସବୁ ମହଲରେ ପ୍ରଶଂସନୀୟ ହୋଇଛି ।

ଆଜି ଶିଶୁଡିବସ ଅବସରରେ ଟିମ ପକ୍ଷରୁ ସହରରେ ମେଡିକାଲ ଛକ ଓ ଗୋଶାଣିନୁଆଗାଁ ନିକଟରୁ ରାଜୁ ଓ ମହେନ୍ଦ୍ର ସାହୁ ଭଳି ଦୁଇ ବ୍ୟକ୍ତିଙ୍କୁ ସେବା ପ୍ରଦାନ କରାଯାଇଥିଲା । ଉଭୟେ ବର୍ଷା ଓ ଶୀତ ରାତିରେ ରାସ୍ତାକଡରେ ପଡିରହିଥିଲେ । ଏପରିକି ପିନ୍ଧିଥିବା ବସ୍ତ୍ରରେ ପରିସ୍ରା ଓ ଝାଡ଼ା ଫେରିଦେଇଥିଲେ । 

ପରିତ୍ୟକ୍ତ ଅବସ୍ଥାରୁ ଉଭୟଙ୍କୁ ଉଦ୍ଧାର କରି ସଫା କରିବା ପରେ ନୂତନ ବସ୍ତ୍ର ପିନ୍ଧାଇ ଦିଆ ଯାଇଥିଲା । ଏବଂ ଉଭୟଙ୍କୁ ଚାହା ଓ ଟିଫିନ ଦେବା ପରେ ସେମାନେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ରାଜୁ ଓ ମହେନ୍ଦ୍ରଙ୍କ ସହିତ ଟିମ ପକ୍ଷରୁ ଆଜି ପର୍ଯ୍ୟନ୍ତ ମୋଟ 90ଜଣ ନିରାଶ୍ରୟଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି ଟିମ କ୍ଲିନ ସିଟି ।

ଏହା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିଥିବା ବେନିୟମ ପୋଷ୍ଟରଗୁଡିକୁ ମଧ୍ୟ ଟିମ ସଦସ୍ୟଙ୍କ ଦ୍ୱାରା ବାହାର କରାଯାଇଛି । ଆଜିର ଏହି ସାପ୍ତାହିକ ସେବା କାର୍ଯ୍ୟରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ ।