ବେଆଇନ ବେପାରକୁ ନେଇ ବୋରାପଦାରେ ଯୁବକ ଅପହରଣ : ଯୁବକ ଜୀବିତ ନା ମୃତ ପରିବାର ସନ୍ଦେହ ଘେରରେ ହେଲେ ପୋଲିସ ଖୋଜୁଛି କୂଅରେ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ଢେଙ୍କାନାଳ :- ଜିଲ୍ଲାରେ ବେଆଇନ ବେପାରକୁ ନେଇ ଗତ ଦୁଇଦିନ ତଳେ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ବୋରାପଦା ଗ୍ରାମର ଜଣେ ଯୁବକ ଅପହରଣ ହୋଇଛି। ଅପହରଣ ଯୁବକ ଏବେ ସୁଦ୍ଧା ଜୀବିତ ନା ମୃତ ପରିବାର ଲୋକେ ସନ୍ଦେହ ଘେରରେ ଥିବାବେଳେ ହେଲେ ଅଭିଯୋଗ ପାଇ ପୋଲିସ ଗ୍ରାମରେ ପହଂଚି ଅନୁସନ୍ଧାନ ଚଳାଇବା ସହ ଅପହରଣ ଯୁବକର ଶବକୁ ଖୋଜୁଛି ବିଭିନ୍ନ ପରିତ୍ୟକ୍ତ କୂଅରେ। ଘଟଣାରେ ଗ୍ରାମର କିଛି ସନ୍ଦିଗ୍ଧଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।

ଘଟଣାରୁ ପ୍ରକାଶ, ସହରର ୫୫ନଂ ଜାତୀୟ ରାଜପଥ ନିକଟରେ ରହିଛି ବୋରାପଦା ଗ୍ରାମ । ଜାତୀୟ ରାଜପଥରୁ ଆସୁଥିବା ଟ୍ରକ ଗୁଡ଼ିକ ନିଇତି ଏହି ଗ୍ରାମ ବାଟେ ଅବାଧ ପ୍ରବେଶ ଚାଲିଛି। ଏହି ବାଟେ ଯାଉଥିବା ଟ୍ରକ ଗୁଡ଼ିକରୁ ଆଇରନ, କୋଇଲା, ମାଙ୍କଡ଼ା ପଥର ଆଦି ଖଣିଜ ପଦାର୍ଥ ବ୍ୟାପକ ମାତ୍ରାରେ ଅଂଚଳରେ ଚୋରାଚାଲାଣ ଦୀର୍ଘଦିନ ଧରି ହେଉଥିବା ସାଧାରଣରେ ପ୍ରକାଶ ପାଉଛି । ଏହି ଚୋରା ଚାଲାଣକୁ ନେଇ ଗତ କିଛି ଦିନ ତଳେ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।

ତେବେ ଗତ ଦୁଇଦିନ ତଳେ ଗ୍ରାମର ଜଙ୍ଗଲି ଓରଫ ପିତନ ଦାସ(୪୦) ସଂଧ୍ୟା ସମୟରେ ଆସୁଥିବା ଏକ ଟ୍ରକକୁ ସ୍ଥାନୀୟ ମହିଳା ଆଇଟିଆଇ ତାଲିମ କେନ୍ଦ୍ର ଠାରେ ଅଟକାଇ ଟ୍ରକ ଚାଳକ ସହ କଥାବାର୍ତ୍ତା ହେଉଥିବା ସମୟରେ ଆଉ କିଛି ଟ୍ରକ ଘଟଣାସ୍ଥଳରେ ପଛକୁ ଲାଗି ରହିଲା ଓ କିଛି ସମୟ ସେଠାରେ ଉତେଜନା ଓ ହୋହଲ୍ଲା ଲାଗି ରହିଲା ବୋଲି ଯାହାକି ସାଧାରଣରେ କୁହାଯାଉଛି। ତେବେ ପରଦିନ ସକାଳେ ଘଟଣାସ୍ଥଳରେ ରାସ୍ତା କଡ଼ରେ ବାଇକ୍ ପଡ଼ିଛି, ଚାଳକ ଗ୍ରାମର ପିତନ ଦାସ ଅପହରଣ ହୋଇଥିବା ଜାଣିପାରି ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅପହରଣ ଯୁବକ ଏବେ ସୁଦ୍ଧା ଜୀବିତ ନା ମୃତ ପରିବାର ଲୋକ ସନ୍ଦେହ ଘେରରେ ଥିବାବେଳେ ଅଭିଯୋଗ ପାଇ ସଦର ପୋଲିସ ଗାଁର ବିଭିନ୍ନ ଯାଗା ପଇଁତରା ମାରିବା ସହ ଅପହରଣ ଯୁବକର ଶବକୁ ଖୋଜୁଛି ଗ୍ରାମର ବିଭିନ୍ନ ପରିତ୍ୟକ୍ତ କୂଅରେ। ଘଟଣାକୁ ନେଇ ସଦର ପୋଲିସ ଅଂଚଳର କିଛି ସନ୍ଦିଗ୍ଧଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।