ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) ବରଗଡ଼ :- ଆସନ୍ତା ପୈାର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗତକାଲି ଠାରୁ ଜିଲ୍ଲା ର ସମସ୍ତ ବୁଥ ଗୁଡିକ ରେ ଆରମ୍ଭ ହୋଇଛି । ଏଥି ସକାଶେ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ସର୍ବ ଦଳୀୟ ପ୍ରତିନିଧି ଓ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଗତକାଲି ଠାରୁ ଜିଲ୍ଲା ର ପ୍ରତ୍ୟେକ ବୁଥରେ ଭୋଟର ତାଲିକା ପ୍ରକାଶନ କରାଯାଇଛି ।

ଏହି ତାଲିକା ରେ ନୂତନ ଭୋଟରଙ୍କ ନାମ ଯୋଗ କରିବା,ମୃତ କିମ୍ବା ଠିକଣା ପରିବର୍ତ୍ତନ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ କାଟିବା,ନାମ ଭୁଲ୍ ଥିଲେ ସଂଶୋଧନ କରିବା ଆଦି କାର୍ଯ୍ୟ ୧/୧୧ ରୁ ୩୦/୧୧ ମଧ୍ୟରେ ନିଜ ନିଜର ବୁଥ କିମ୍ବା ଉପ- ଜିଲ୍ଲାପାଳ,ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସଂପୃକ୍ତ ଫର୍ମ ରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ ।

ସେହିପରି ନାମ ସଂଯୋଗ କରିବାକୁ ଫର୍ମ ନଂ ୬, କାଟିବା ପାଇଁ ଫର୍ମ ନଂ ୭, ସଂଶୋଧନ ପାଇଁ ଫର୍ମ ନଂ ୮, ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବୁଥ ପରିବର୍ତ୍ତନ ସକାଶେ ଫର୍ମ ନଂ ୮(କ) ରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ । ଏଇ ମାଧ୍ୟମରେ ଫଟୋ ମଧ୍ୟ ସଂଯୁକ୍ତ କରିପାରିବେ ବୋଲି କହିଥିଲେ ।