ଏଟିଏମ୍ ଭ୍ୟାନ୍ ଅପହରଣ,୪୫ ମିନିଟରେ ପୁଲିସକୁ ସଫଳତା ; ମାରୁତି କାର ଜବତ ଓ ୩ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର )ଢେଙ୍କାନାଳ :- ଆଜି ଦିନ ଦ୍ବିପହର ଗୋଟାଏ ବେଳେ କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁକଟା ନିକଟସ୍ଥ ଆଙ୍କୁଲା ନିକଟରେ କିଛି ଡକାୟତି ଦ୍ଵାରା ଏସବିଆଇ ଏଟିଏମ୍ କ୍ୟାସ୍ ଭ୍ୟାନ୍ ଅପହରଣ ହୋଇଛି। ଅପହରଣର ୪୫ ମିନିଟ୍ ଭିତରେ ପୁଲିସକୁ ସଫଳତା ମିଳିବା ସହ ଢେଙ୍କାନାଳ ଜିଲ୍ଲା ସଦର ଅଂଚଳରୁ ଗୋଟିଏ ମାରୁତି କାର, ଟଙ୍କା ବାକ୍ସ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ ଓ ୩ ଜଣଙ୍କୁ ଗିରଫ କରିଛି ସଦର ପୋଲିସ। ଆଠଗଡ଼ ଏସବିଆଇ ଶାଖାର ଏଟିଏମ୍ କ୍ୟାସ୍ ଭ୍ୟାନ୍ ଗାଡ଼ି ଟଙ୍କା ଭର୍ତି କରି ଆଜି ଦିନ ଗୋଟାଏ ବେଳେ ତିଗିରିଆ ଅଭିମୁଖେ ଯିବା ବାଟରେ ଆଙ୍କୁଲା ନିକଟସ୍ଥ ଏକ ଢାବାରେ ଗାଡ଼ି ରଖି ଖାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭ୍ୟାନ ରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଓ ଘଟଣାସ୍ଥଳରୁ ଗାଡ଼ିକୁ ଅପହରଣ କରିନେଇଥିଲେ।

ଭ୍ୟାନ କୁ ନେଇ ଶଙ୍କରପୂର ରୋଡରେ ଟଙ୍କା ବାକ୍ସ ନେଇ ପୂର୍ବରୁ ସେଠାରେ ପ୍ରସ୍ତୁତ ଥିବା ଏକ ମାରୁତି କାରରେ ଫେରାର ହୋଇ ଯାଇଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଆଠଗଡ ଏସଡିପିଓ ନିକଟସ୍ଥ ଥାନା ମାନଙ୍କୁ ଜଣାଇଥିଲେ । ତେବେ ଗୋଟିଏ ଧଳା ରଙ୍ଗର କାର ଟି ଗାଁ ରାସ୍ତାରେ କ୍ଷୀପ୍ର ଗତିରେ ଯାଉଥିବାର ଢେଙ୍କାନାଳ ସଦର ପୋଲିସ ପାଖକୁ ଖବର ଆସିଥିଲା । ଏହା ପରେ ସଦର ଆଇ ଆଇସି ଅଭିନବ ଡ଼ାଳୁଆ ଉକ୍ତ କାରଟିକୁ ପିଛା କରିଥିଲେ । ଦୁର୍ବୃତ୍ତ ମାନେ ଗାଉଁଲି ରାସ୍ତା ଦେଇ ବ୍ରାହ୍ମଣୀ ନଦୀ କୂଳରେ କାରରୁ ଟଙ୍କା କାଢି ଫେରାର ହେବାକୁ ଚେଷ୍ଟା କରିଥିଲେ ।

ପୋଲିସ ଦୌଡ଼ି ତିନିଜଣ ଡକାୟତ କୁ ବାରଦା ନିକଟସ୍ଥ ଭୋଜଦେଇପୁର ଗାଁ ମନ୍ଦିର ପାଖରେ ଧରିବାରେ ସଫଳ ହୋଇଥିବା ବେଳେ ଜଣେ ଡକାୟତ ଖସିଯିବାରେ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ୩ ଟି ପିସ୍ତଲ ବିଭିନ୍ନ ମାରଣାସ୍ତ୍ର, ମାରୁତି କାର୍ , ଟଙ୍କା ବାକ୍ସ ଓ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର ହୋଇଥିବା ବେଳେ ବାକି ଟଙ୍କା ଫେରାର ହୋଇଯାଇଥିବା ଡକାୟତ ପାଖରେ ରହିଯାଇଥିବା ପୋଲିସ କହିଛି । ଫେରାର ଥିବା ଡକାୟତ କୁ ଧରିବା ପାଇଁ ପୋଲିସ ର ଗୋଟିଏ ଟିମ୍ ତନାଘନା ଚଳାଇଛି । ସାଇନଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସାଇନଟିଫିକ ପ୍ରମାଣ ଯୋଗାଡ କରିବାରେ ଲାଗିଛି । ଏହି ଘଟଣା ପାଇଁ ଡକାୟତ ମାନେ ବହୁ ଦିନରୁ ପିଛା କରି ଅଞ୍ଚଳ ସବୁ ବୁଲି ଦେଖିଥିଲେ। ଡକାୟତି ଉଦ୍ୟମ କରିଥିବା ବ୍ୟକ୍ତି ସବୁ ଆଠଗଡ ସ୍ଥାନୀୟ,କନ୍ଧମାଳ ଏବଂ ନୟାଗଡ଼ ଅଞ୍ଚଳର ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି । (ରିପୋର୍ଟ ଅମର ରଞ୍ଜନ ଦାସ )