ସପ୍ତପୁରୀ ଅମାବାସ୍ୟା – ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ । ଅଠର ନଳା ନିକଟରେ ଅବସ୍ଥିତ ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରକୁ ଯାଇଥାଏ ।

ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇମାନେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ ଘଣ୍ଟ,ଛତା,କାହାଳୀ ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ ଦ୍ୱିପ୍ରହର ଧୂପପରେ ଅଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ପୂଜା ପାଇଁ ନେଇଥାନ୍ତି । ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ କୁଶ (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ ।

ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି । “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ । ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ୱଜାଃ” ଅମାବାସ୍ୟା ତିଥିର ସ୍ୱାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ । ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ ।

ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ୱାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବାଦ୍ୱାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ । ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ । ଯଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ ।

 

ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ,ସାଧାରଣ ସମ୍ପାଦକ “ନୀଳଶୈଳ”ଏବଂ “ବିଶ୍ବ ଓଡ଼ିଆ ସମ୍ମିଳନୀ”