ଆସନ୍ତା ସେପ୍ଟେମ୍ଵର ୩୦ରେ ହେବ : ପିପିଲି ଉପନିର୍ବାଚନ

ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି – ନିର୍ବାଚନ କମିଶନ

ଓଡ଼ିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ବାଜିଲା ପିପିଲି ଉପନିର୍ବାଚନ ବିଗୁଲ । ଆସନ୍ତା ସେପ୍ଟେମ୍ଵର ୩୦ରେ ହେବ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । କରୋନା କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା । ପିପିଲି ସମେତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପୂର୍ବରୁ ୨ ଥର  ଉପନିର୍ବାଚନ ଘୁଞ୍ଚିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ହେବା କାରଣରୁ ଏପ୍ରିଲ ୧୭ର ଭୋଟ୍ ମେ ୧୬କୁ ଘୁଞ୍ଚିଥିଲା । ଏହାପରେ ମେ ୧୬ରେ ରାଜ୍ୟରେ କରୋନା ସଂକ୍ରମଣ ବଢିଥିବାରୁ ଉପନିର୍ବାଚନ ପୁଣି ଥରେ ସ୍ଥଗିତ କରାଯାଇଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଘଟିଥିବାରୁ ଆସନ୍ତା ସେପ୍ଟେମ୍ଵର ୩୦ରେ ନିର୍ବାଚନ ହେବାକୁ ଯାଉଛି ।

ତେବେ ଏଥିପାଇଁ ଆଜିଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହେଲା । ଆସନ୍ତା ୨୦ ତାରିଖ ଠାରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ମିଳିଛି । କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ପ୍ରଚାର ହେବ । ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ରହିବ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟ ପରେ ପିପିଲି ଉପନିର୍ବାଚନ ହେଉଛି । ନିର୍ବାଚନ ରଣାଙ୍ଗନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ପୂର୍ବରୁ ୨ ଥର ଉପନିର୍ବାଚନ ଘୁଞ୍ଚିଥିଲା । ତେଣୁ ଆଉ ନୂଆ ପ୍ରାର୍ଥୀପତ୍ର ଦାଖଲ କରାଯିବ ନାହିଁ । ମାତ୍ର ୯ ଦିନ ପାଇଁ କ୍ୟାମ୍ପେନିଂ ହେବ ।  ୭ ଜଣ ଦଳୀୟ ପ୍ରାର୍ଥୀ ରହିଥିବା ବେଳେ ୩ ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି ।

ବିଜେପିର ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ରୁଦ୍ର ମହାରଥୀ ଏବଂ କଂଗ୍ରେସରୁ ବିଶ୍ଵକେତନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ତେବେ ଏହି ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ । ପୂର୍ବରୁ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିଲେ ମଧ୍ୟ ଏବେ ପୁଣି ଆଉ ୯ ଦିନର ସମୟ ମିଳିଛି । ପ୍ରାର୍ଥୀମାନେ ଲୋକମାନଙ୍କ ନିକଟତର ହେବାକୁ ଚେଷ୍ଟା କରିବେ । ତେବେ କୋଭିଡ୍ କଟକଣା ମଧ୍ୟରେ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିବେ । କ୍ୟାମ୍ପେନିଂ ବେଳେ ରୋଡ୍ ଶୋ, ବାଇକ୍ ଓ ସାଇକେଲ୍ ରାଲିକୁ ବାରଣ କରାଯାଇଛି। ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୮ ଜଣ ସମର୍ଥକଙ୍କୁ ଅନୁମତି ମିଳିଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।