ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନସଂରକ୍ଷକ ସୌମ୍ୟରଂଜନ ଙ୍କ ମୃତ୍ୟୁ ଘଟଣା: ଡେଥ ନୋଟ ଲେଖା ହେବା ବେଳେ ଡି.ଏଫ୍.ଓ.ଙ୍କ ଉପସ୍ଥିତି ନେଇପ୍ରଶ୍ନ ଉଠିଛି

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗତ ଜୁଲାଇ ୧୨ ତାରିଖ ରାତ୍ରରେ ପାରଳାଖେମୁଣ୍ଡି ଏପିଏଫ୍ ସୌମ୍ୟରଂଜନ ମହାପାତ୍ର ଗୁରୁତର ଭାବେ ପୋଡି ହୋଇ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୯୦ ରୁ ଉର୍ଦ୍ଧ ଭାଗ ପୋଡି ଅତ୍ୟନ୍ତ ଗୁରୁତର ଥିବା ଯୋଗୁଁ ସୌମ୍ୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବା ପୂର୍ବରୁ ତାଙ୍କରି ଡେଥନୋଟ ବା ମୃତକାଳୀନ ଜମାନବନ୍ଦୀ ସଂଗ୍ରହ କରାଯାଇଥିଲା । ଯାହାକି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଏହି ସମୟରେ ପାରଳାଖେମୁଣ୍ଡି ଡିଏଫ୍‌ଓ କେଉଁ ନିୟମ ଅନୁସାରେ ସେଠାରେ ଉପସ୍ଥିତ ଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ କରାଯାଇଛି । କୁହାଯାଇଛି ଯେ, ଡେଥନୋଟ ବେଳେ ପାରଳା ଡିଏଫ୍‌ଓ ଉପସ୍ଥିତ ନଥିବା ପୂର୍ବରୁ କୁହାଯାଇଥିଲା । ତେବେ ଏକ ନିର୍ଦ୍ଧିଷ୍ଟ ଭିଡିଓ ଭାଇରଲ ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ସେଠାରେ ଉପସ୍ଥିତ ଥିବା ସ୍ପଷ୍ଟ ହୋଇଥିଲା । ନିଜ ଇଛା ମୁତାବକ ଭାବେ ଜମାନବନ୍ଦୀ ଲେଖାଇବା ପାଇଁ ଡିଏଫ୍‌ଓ ସେଠାରେ ଉପସ୍ଥିତ ଥିଲେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏହି ଘଟଣାର ସତ୍ୟ ଉଦ୍‌ଘାଟନ ସହ ଡିଏଫ୍‌ଓ ସେଠାରେ କେଉଁ ନିୟମ ଅନୁଯାୟୀ ଉପସ୍ଥିତ ଥିଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି । ମୃତ୍ୟୁ ଘଟଣାରେ ଲାଗିପଡି ସମସ୍ତେ ମିଛ କହିବାରେ ଲାଗିଛନ୍ତି । ଏଥିରୁ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ ମଧ୍ୟ ବାଦ ପଡିନାହାନ୍ତି । କିନ୍ତୁ ଏହି ମିଛ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୁରକ୍ଷା ଦେବା ପାଇଁଏ ଉଦ୍ଧିଷ୍ଟ ଥିଲା ବୋଲି ଏବେ ଭାଇରାଲ ହୋଇଥିବା ଏକ ଭିଡିଓରୁ ସ୍ପଷ୍ଟ ହୋଇଯାଇଛି । ଗଜପତିର ପୂର୍ବତନ ଏସ୍‌ପି ତପନ ପଟ୍ଟନାୟକ ଗଣମାଧ୍ୟମକୁ ପୂର୍ବରୁ କହିଥିଲେ ଯେ, ଡିଏଫଓ ସଂଗ୍ରାମ ବେହେରା ହସ୍ପିଟାଲରେ ନଥିଲେ । ଏବେ ଏହି ଦୁଇ ଡାକ୍ତରଙ୍କ ମିଛ ମଧ୍ୟ ଏହି ଭାଇରାଲ ଭିଡିଓରୁ ଧରାପଡିଛି । ଏହି ଭିଡିଓ ଅନେକ କିଛି ବୟାନ କରୁଛି । ଜଣାଇ ଦେଉଛି ଯେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାପାଇଁ ପୂର୍ବତନ ଏସ୍‌ପିଙ୍କ ଠାରୁ ଆରମ୍ଭ କରି ଡାକ୍ତର ଯାଏଁ ସମସ୍ତେ କାର୍ଯ୍ୟକରୁଛନ୍ତି ।

୧୨ ତାରିଖ ରାତିରେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ସୌମ୍ୟଙ୍କ ଜମାନବନ୍ଦୀ ଲେଖୁ ଥିବା ବେଳେ ପାଖରେ ଉପସ୍ଥିତ ଅଛନ୍ତି ଡିଏଫଓ ସଂଗ୍ରାମ ବେହେରା । ଡିଏଫ୍‌ଓଙ୍କ ସହ ଡିଏଏମ୍‌ଓ ଡାକ୍ତର ପ୍ରମୋଦ କୁମାର ପଣ୍ଡା ମଧ୍ୟ ଏହି ଭାଇରଲ ଭିଡିଓରେ ଅଛନ୍ତି । କିନ୍ତୁ ଡାକ୍ତରମାନେ ଜେରାରେ କହିଥିଲେ ଯେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଜମାନବନ୍ଦୀ ଲିପିବଦ୍ଧ କରୁଥିବା ସମୟରେ ଡିଏଫ୍ ଓ କିମ୍ବା ଆଉ କେହି ଉପସ୍ଥିତ ନଥିଲେ ଏଠାରେ ପ୍ରଶ୍ନ ଉଠିଛି ଡିଏଫ୍‌ଓ ସେଠାରେ ରହି କଣ କରୁଥିଲେ? ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କ ଉପସ୍ଥିତି ଅତ୍ୟନ୍ତ ସନ୍ଦେହଜନକ ତେଣୁ ଏହାର ବିଧିବଧ ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି (ଗରୁଡ଼ ଧ୍ଵଜ ଚୌଧୁରୀ )