ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ନାଏକ ଙ୍କ ର ସଡ଼କ ଦୁର୍ଘଟଣା ଘଟିଛି ; ଅଳ୍ପକେ ବର୍ତ୍ତିଲେ ଅତିରିକ୍ତ ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) ବୌଦ୍ଧ :- ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ନାଏକ ଙ୍କ ର ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁସାରେ କୌଣସି ସରକାରୀ କାର୍ଯ୍ୟରେ ସୋମବାର ସକାଳୁ ସରକାରୀ କାର ଯୋଗେ ବୌଦ୍ଧରୁ ଭୁବନେଶ୍ୱର ଯାଉଥିବା ବେଳେ ନୟାଗଡ ଜିଲା ଦଶପଲ୍ଲା ନିକଟସ୍ଥ ରଙ୍ଗମାଟିଆ ରାଜପୁତ ହୋଟେଲ ସମ୍ମୁଖରେ ବିପରୀତ ଦିଗରୁ ଫୁଲବାଣୀ ଅଭିମୁଖେ ଆସୁଥିବା ଅନ୍ୟ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାଏକଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ତେବେ ଦୁର୍ଘଟଣାର ସୂଚନା ପାଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର ବୌଦ୍ଧରୁ ଯାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ଆମ୍ବୁଲାନ୍ସ କୁ ଅପେକ୍ଷା କରିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗାଡିରେ ନେଇ ଭୁବନେଶ୍ୱର ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିବା ଜଣାପଡିଛି । ସେହପିରି ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଗାଡିରେ ଥିବା ଇଡକୋର ଅଧିକାରୀ ପ୍ରଭୁଦତ୍ତ ଦାଶ ଓ ଅନ୍ୟ ଗାଡିର ଜଣେ ମହିଳା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଇଡକୋ ଅଧିକାରୀଙ୍କ ସହିତ ଗୁରୁତର ଆହତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିବା ଜଣାପଡିଛି । ଦୁର୍ଘଟଣାରେ ଗୋଡ ଭାଙ୍ଗିଯାଇଥିଲେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏବେ ବିପଦମୁକ୍ତ ଥିବା ଶ୍ରୀମେହେର ସୂଚନା ଦେଇଛନ୍ତି ।