ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ

ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ପୁରୀ ରିପୋର୍ଟ ଅଭିମନ୍ୟୁ :- ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି। ରଥାରୁଢ ହୋଇଛନ୍ତି ଶ୍ରୀସୁଦର୍ଶନ,

 

ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାବାହୁ । ବର୍ତ୍ତମାନ ମହାରାଜା ଙ୍କ ଦ୍ବାରା ଛେରା ପହଁରା ନୀତିଶେଷ ହୋଇଛି। ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ । ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଛି ଚତୁର୍ଦ୍ଦିଗ । ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଚାଲିଛି ।

 

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଗମନ ପ୍ରତି ସ୍ଵାଗତିକାକୁ ବର୍ଣ୍ଣାଢ୍ୟ ଆଭାରେ ରଙ୍ଗିତ କରି ରଥତ୍ରୟଙ୍କ ସମ୍ମୁଖରେ ସୁଶୋଭିତ ରଙ୍ଗୀନ ବର୍ଣ୍ଣାଳି । ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରୁଛନ୍ତି । ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ତାଳଧ୍ବଜ ରଥକୁ ବିଜେ କରୁଛନ୍ତି ।

 

ଭକ୍ତିମୟ ପରିବେଶ ମଧ୍ୟରେ, ସେବାୟତଙ୍କ ଦ୍ୱାରା ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରୁଥିବାର ସୁନ୍ଦର ଦୃଶ୍ୟ । ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ ଓ କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର କିଛି ମନମୋହକ ଦୃଶ୍ୟ । ଶ୍ରୀଚତୁର୍ଦ୍ଧାବିଗ୍ରହ ରଥାରୂଢ ହୋଇ ରୁନ୍ଧା ବଢିବା ପରେ ଶ୍ରୀ ରାମକୃଷ୍ଣ ତାଳଧ୍ଵଜ ରଥକୁ ଓ ଶ୍ରୀ ମଦନମୋହନ ନନ୍ଦିଘୋଷ ରଥକୁ ବିରାଜମାନ କରିଛନ୍ତି ।

 

ତିନି ରଥରେ ଠାକୁର ରାଜା ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ଦ୍ଵାରା ପାରମ୍ପରିକ ଛେରା ପହଁରା ନୀତି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ତିନି ରଥରେ ଚାରମାଳ ଫିଟାଯାଇ ଘୋଡା ଯୋଚା ସମ୍ପନ୍ନ ହୋଇଛି । ରଥ ଟଣାର ସେହି ଦିବ୍ୟ ମୁହୂର୍ତ୍ତକୁ ଅବଲୋକନ କରିବା ନିମନ୍ତେ ଆଉ ମାତ୍ର କିଛି ସମୟର ପ୍ରତୀକ୍ଷା । ପ୍ରତୀକ୍ଷାର ଅନ୍ତ ଘଟି ଅତ୍ୟନ୍ତ ଭାବ ବିହ୍ୱଳ ପରିବେଶରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଛି ।

ଜଗାର ଦର୍ଶନ ସାତ ସପନ ହୋଇ ରହିଗଲା । ଭକ୍ତ ବିହୁନେ ସିଂହଦ୍ୱାର ଫେରିବେ ନୀଳାଦ୍ରିନାଥ । ଭକ୍ତଙ୍କ ପାଇଁ କଟକଣା ଜାରି ହୋଇଛି । ବଡ଼ଦାଣ୍ଡ ମନା ହୋଇଛି । ଘର ଛାତ ତଥା ବାଲକୋନୀରୁ ପ୍ରଭୁଙ୍କ ରଥଯାତ୍ରା ବି ଦର୍ଶନ ହେବନି । କଟକଣା ଉଲ୍ଲଂଘନ କଲେ କଡ଼ା ଦଣ୍ଡବିଧାନ ହେବ । ବାହୁଡ଼ା ଯାତ୍ରାର ସମସ୍ତ ନୀତି ନିର୍ଦ୍ଧାରିତ ନିର୍ଘଣ୍ଟ ଠାରୁ ଆଗୁଆ ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି ।

 

କେବଳ ସେବାୟତ ବାହୁଡ଼ା ରଥକୁ ଟାଣିବେ । କର୍ଡନ ଭିତରେ କୋଭିଡ୍‌ କଟକଣାରେ ରଥ ଟଣାଯିବ । ଡ୍ୟୁଟିରେ ଥିବା ଅଫିସରମାନେ ମଧ୍ୟ କଟକଣାକୁ ଅନୁପାଳନ କରିବେ । ଉଲ୍ଲଂଘନ ହେଲେ, ପ୍ରୋସିଡିଂର ସମ୍ମୁଖୀନ ହେବ । ସୋମବାର ଅପରାହ୍ନ ୨ଟାରୁ ପୁରୀ ସହରକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନକୁ ଚେକିଂ କରାଯାଉଛି ।