ପୁରୀ : ଅଣସର ବାସରେ ଥିବା ଅସୁସ୍ଥ ଶ୍ରୀଜିଉଙ୍କ ଗୋପନ ସେବା; ୪ଦିନ ଧରି ଚାଲିବ ଉପଚାର – ଶ୍ରୀଅଙ୍ଗରେ ଲାଗିଲା ଓଷ

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ପୁରୀ :- ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ହୋଇଛି । ଓଷ ଲାଗି ଉପଚାର ୪ଦିନ ଧରି ଚାଲିବ । ପୂର୍ବରୁ ବିଭିନ୍ନ ଦିନମାନଙ୍କରେ ଦଇତାପତି ସେବକ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲିଥିଲେ,ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ କରିଥିଲେ । ମଙ୍ଗଳବାର ଦିନ ଅସୁସ୍ଥ ଠାକୁରଙ୍କ ଶରୀରର ମଜରା ଭାଙ୍ଗିବାକୁ ଆୟୁର୍ବେଦୀୟ ଫୁଲରି ତେଲ ଲାଗି ନୀତି ସମ୍ପାଦନ କରିଥିଲେ ।

ଶ୍ରୀଅଙ୍ଗରେ ଦଇତାପତି ସେବକ ଦୁଇ ହାଣ୍ଡି ଓଷ ଲାଗି କରିଥିଲେ । ଦଶମୀ ତିଥି ପର୍ଯ୍ୟନ୍ତ ଓଷ ଲାଗି ବଢ଼ିବା ପରେ ସେହି ଦିନ ହଁ ମହାପ୍ରଭୁଙ୍କ ଚକା ବିଜେ ହୋଇ ବସିବେ । ଦଶମୀରେ ମହାପ୍ରଭୁଙ୍କ ଉପଚାର ପାଇଁ ରାଜବୈଦ୍ୟଙ୍କ ବାସଭବନରୁ ମୋଦକ ଔଷଧୀ ବଡଦେଉଳକୁ ବିଜେ କରିବ । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧୀ ଲାଗି କରାଯିବ । ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ସମ୍ପାଦନ କରାଯିବାକୁ ଗୋପନ ନୀତିର ପରମ୍ପରା ଚଳି ଆସୁଛି ।

ଏହି ପର୍ଯ୍ୟାୟରେ ସୁଦ୍ଧ ସୁଆରଙ୍କ ବାସଭବନରୁ ଶ୍ରୀମନ୍ଦିରକୁ ଖଳି ବିଜେ ହେବ । ଏହା ପରେ ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସେବକ ଦତ୍ତମହାପାତ୍ର ପ୍ରଭୁଙ୍କ ସେବାରେ ହଜାର ହେବେ । ଏହି ସବୁ ଉପଚାର ପରେ ଜୁଲାଇ ୯ ତାରିଖରେ ଶ୍ରୀବିଗ୍ରହଙ୍କ ନବଯୌବନ ପ୍ରାପ୍ତି ଓ ନେତ୍ରୋତ୍ସବ ନୀତିର ବିଧି ପାଳନ ହେବ । କୋଭିଡ୍‌ କଟକଣା କାରଣରୁ ପ୍ରଭୁଙ୍କ ନବଯୌବନ ଦର୍ଶନ ସୁଯୋଗ ଭକ୍ତ ପାଇବେ ନାହିଁ ।