ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ – ରଥଯାତ୍ରା କରିବା ଦାବିରେ ଶଙ୍ଖ ଫୁଙ୍କିଲେ, ଘଣ୍ଟ ବଜାଇଲେ । ହାତରେ ଫ୍ଲା’ କାର୍ଡ ଧରି ଶୋଭାଯାତ୍ରା 

ଓଡ଼ିଶା ତାଜା ନ୍ୟୁଜ (୧୭ ଜୁନ ଗୁରୁବାରବାରିପଦା :- ଶଙ୍ଖ ଫୁଙ୍କିଲେ, ଘଣ୍ଟ ବଜାଇଲେ। ହାତରେ ଫ୍ଲା’ କାର୍ଡ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କଲେ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ସକାଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବାରିପଦା ରଥଯାତ୍ରା କରିବା ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସହରବାସୀ ଆଜି ଏଭଳି ଢଙ୍ଗରେ ଶୋଭାଯାତ୍ରା କରିଛନ୍ତି। ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି ।

ଶ୍ରୀକ୍ଷେତ୍ର ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି କେଉଁଠି ରଥଯାତ୍ରା ହେବନାହିଁ। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାସୀ। ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଦାବିରେ ବାରିପଦାର ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ଲୋକମାନେ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ର ହୋଇଥିଲେ। ପରେ ଶଙ୍ଖ ଫୁଙ୍କି ଓ ଘଣ୍ଟ ବଜାଇ ବିଶାଳ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ମାଉସୀ ମା’ ମନ୍ଦିର ଯାଏଁ ଯାଇଥିଲା । ଏଥିରେ ଶହଶହ ଲୋକ ସାମିଲ ହୋଇ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଆଜିର ଶୋଭାଯାତ୍ରାରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ମହାରାଜା ପ୍ରବିଣ ଚନ୍ଦ୍ର ଭଞ୍ଜଦେଓ, ସିନେ ତାରକା ଅସିତ ପତିଙ୍କ ସମେତ ବହୁ ରାଜନେତା, ବରିଷ୍ଠ ନାଗରିକ, ମନ୍ଦିର ସେବାୟତ ସଂଘର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବାରିପଦାରେ ୧୫୭୫ ମସିହାରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଠାରେ ମହିଳାମାନେ ଦେବୀ ଶୁଭଦ୍ରାଙ୍କ ରଥକୁ ଟାଣି ଥାଆନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ପରମ୍ପରାକୁ ବନ୍ଦ ନ କରିବାକୁ ଦାବି ହୋଇଛି । (ରିପୋର୍ଟ –ଦୀପ୍ତିମାନ ପତି )