ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ ଭଗବାନ କୃଷ୍ଣ ଓ ସଖା ସୁଦାମା ଙ୍କ ସମ୍ପର୍କର ନିବିଡ଼ତାକୁ ପ୍ରତିପାଦନ କରୁଛି

କଟକ /କେନ୍ଦ୍ରାପଡା (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-11.3.2020 ଦ୍ୱାପରଯୁଗରେ କୃଷ୍ଣ ଏବଂ ତାଙ୍କର ପ୍ରିୟସଖା ସୁଦାମାଙ୍କ ଭିତରେ ଥିବା ଅନନ୍ୟ ବନ୍ଧୁତାର ବର୍ଣ୍ଣନା ଆମ ପୌରାଣିକ ସାହିତ୍ୟରେ ଦେଖିବାକୁ ମିଳେ । ଏହି ପୃଷ୍ଠଭୂମିରେ ଗଢ଼ିଉଠିଥିବା ଏକ ସାଂସ୍କୃତିକ ଚେତନାର ଝଲକ ଦେଖିବାକୁ ମିଳିଥାଏ କେନ୍ଦ୍ରାପଡ଼ା ଜିଲ୍ଲାଡେରାବିଶ ବ୍ଲକ ଓ କଟକ ଜିଲ୍ଲା ମାହାଙ୍ଗା ବ୍ଳକର ମିଳନ ସ୍ଥଳ ଓଳକଣା ଏବଂ ଅରାଖଣ୍ଡ ଗ୍ରାମରେ ।

ଏହି ମିଳନ ସ୍ଥଳରେ ବହୁ ପୁରାତନକାଳରୁ ପ୍ରତିଷ୍ଠା ହୋଇଥିବା ମହାତ୍ମା ବିଦୁରଙ୍କ ମନ୍ଦିର ପୌରାଣିକ ଗାଥାକୁ ଏବେବି ରୋମନ୍ଥନ କରୁଛି । ଓଡ଼ିଶାର ଗଣପର୍ବ ଦୋଳଯାତ୍ରା ସହିତ ଏହି ବିଦୁର ମନ୍ଦିରର ଆଧ୍ୟାତ୍ମିକ ସଂଯୋଗ ଆଜିବି ସ୍ଥାନୀୟ ଅଂଚଳରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି । ଅବିଭକ୍ତ କଟକ ଜିଲ୍ଲାରେ ଆୟୋଜିତ ଓଡ଼ିଶା ପ୍ରସିଦ୍ଧ ଓଳକଣା ମେଲଣ ସହିତ ଯୋଡ଼ିହୋଇ ରହିଛି ଏହି ପୌରାଣିକ ବିଦୁରମନ୍ଦିରର ସ୍ମରଣୀୟ ସ୍ମୃତି । ଗବେଷକମାନେ କୁହନ୍ତି- ଆଳିର ସୂର୍ଯ୍ୟବଂଶୀ ରାଜା ତାଙ୍କର ତତ୍କାଳୀନ ରାଜଯୋଡା ଇଷ୍ଟେଟ୍ ପରିସୀମା ଭିତରେ ଆୟୋଜିତ ଏହି ମେଲଣର ପୃଷ୍ଠପୋଷକତା କରୁଥିଲେ । ଏହାର ପ୍ରମୁଖ କାରଣ ଥିଲା- ନିଜ ରାଜ୍ୟର ସୁରକ୍ଷା ସହିତ ମୋଗଲବନ୍ଦୀ ଅଂଚଳସହ ସୌହାର୍ଦ୍ଦପୂର୍ଣ୍ଣ ସଂପର୍କ ରକ୍ଷା କରିବା ।
ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଲଣ ଯାତ୍ରାଠାରୁ ଓଳକଣା ମେଲଣର ପରମ୍ପରା ସଂପୂର୍ଣ୍ଣ ନିଆରା । ସ୍ୱାଭାବିକ ଭାବରେ ମେଲଣ ଯାତ୍ରାରେ ଆସୁଥିବା ଠାକୁରବାଡ଼ିଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାକି ସମ୍ମାନ ଦେବାର ପରମ୍ପରା ଥାଏ । କିନ୍ତୁ ଓଳକଣା ମେଲଣରେ ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା, ଯାଜପୁର ଓ କଟକ ଜିଲ୍ଲାରୁ ଯୋଗଦେଉଥିବା ପ୍ରାୟ ୧୨୭ ରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନ ଥାଏ । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି । ଠାକୁରମାନଙ୍କୁ ମଧ୍ୟ ବିଦାକି ଦିଆଯାଇନଥାଏ । ଥାଟବାଟ, ରଙ୍ଗରୋଷଣୀର ଭିଡ଼ରେ ମହାଆଡ଼ମ୍ବରରେ ଆସୁଥିବା ବିମାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ । ମେଲଣ ପରେ ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ହୋଇଥିବା ନବବସ୍ତ୍ର ବିପୁଳ ନୈବେଦ୍ୟର ସଂଭାରରେ ଭରିଯାଇଥାଏ ।


ସାଧାରଣତଃ ଦୋଳମିଳନ ଶ୍ରୀରାଧା-କୃଷ୍ଣଙ୍କ ଚେତନାର ପ୍ରତୀକ । କିନ୍ତୁ ଓଳକଣା ମେଲଣର ପୃଷ୍ଠଭୂମି ସୃଷ୍ଟିକର୍ତ୍ତା ଶ୍ରୀହରି ଓ ସଂହାର କର୍ତ୍ତା ହରହର ମହାଦେବଙ୍କ ମିଳନର ବାର୍ତ୍ତା ପ୍ରଚାର କରିଥାଏ । କାରଣ ଓଳକଣା ମେଲଣର ଉତ୍ପତ୍ତି ‘ହରି-ହର ଦର୍ଶନ’ ମୂଳଭିତ୍ତି ଉପରେ ହିଁ ପ୍ରତିଷ୍ଠିତ । ପରମଭକ୍ତ ମହାତ୍ମା ବିଦୂରଙ୍କ ଭକ୍ତି ଓ ସମର୍ପଣ ଭାବରେ ସନ୍ତୁଷ୍ଟ ହୋଇ ଭକ୍ତର ମନୋବାଞ୍ଛା ପରିପୂରଣ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ହରିହର ରୂପରେ ଦର୍ଶନ ଦେବାକୁ ସମ୍ମତ୍ତି ପ୍ରଦାନ କରିଥିଲେ । ଓଳକଣା ମେଲଣର ଅନ୍ତିମ ତିଥିରେ ସୂକ୍ଷ୍ମରୂପୀ ବିଦୂରଙ୍କ ସମେତ ସମାଗମ ସହସ୍ରାଧିକ ଭକ୍ତଜନ ଏହି ଦେବଦୁର୍ଲ୍ଲଭ ରୂପ ଦର୍ଶନ କରିଥାନ୍ତି । ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ମାହାଙ୍ଗା ର ଏକମାତ୍ର ଶ୍ରୀ ଶ୍ରୀ ବୀର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଲଣକୁ ଆସିଥାନ୍ତି । ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ଓଳକଣା ମେଲଣର ଅନ୍ୟତମ ଆକର୍ଷଣ । କାରଣ ସେ ହେଉଛନ୍ତି ମେଲଣପଡ଼ିଆର ଅଧିପତି । ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ । ମେଲଣକୁ ଆସିବା ଦିନ ଶ୍ରୀ ବୀର ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି ।


ପୌରାଣିକ କାଳରୁ ଓଳକଣା ମେଲଣ ହୋଇଆସୁଥିବା କୁହନ୍ତି ବହୁ ପୁରୁଖା ଲୋକ । ୧୩୪୧ ସାଲରେ ଓଳକଣାର ଏ ସୁପ୍ରସିଦ୍ଧ ମେଲଣପଡ଼ିଆ ଉପକଣ୍ଠରେ ପ୍ରତିଷ୍ଠା ହୋଇଥିଲା ବିଦୁରଙ୍କ ମନ୍ଦିର ।
ଏହି ମନ୍ଦିର ସଂଲଗ୍ନ ଗ୍ରାମଗୁଡ଼ିକରେ ରହିଛି ପୌରାଣିକ ପଞ୍ଚୁପାଣ୍ଡବ ମନ୍ଦିର, ଉଦ୍ଧବଙ୍କ ମନ୍ଦିର, ଶ୍ରୀ ମହାବୀରଙ୍କ ମନ୍ଦିର, ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମନ୍ଦିର । ଓଳକଣା ମେଲଣ ପଡ଼ିଆରେ ରହିଛି ମା କ୍ଷେତ୍ରକାଳୀ, ଅଷ୍ଟଶମ୍ଭୁ ଓ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ମୋଟ ଉପରେ ଓଳକଣା କ୍ଷେତ୍ର ସହିତ ଯୋଡ଼ିହୋଇଛି ମହାଭାରତୀୟ ସଂସ୍କୃତିର ଏହିସବୁ ଅନନ୍ୟ ପୀଠ, ଯାହାକି ଏବେବି ସାଧାରଣ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଇତିହାସ ପୃଷ୍ଠାରେ ବର୍ଣ୍ଣିତ ଏହି ସାଂସ୍କୃତିକ ଭୂଖଣ୍ଡର ଐତିହ୍ୟ ଓ କୀର୍ତ୍ତିରାଜି ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ତା’ ଉପରେ ଉପଯୁକ୍ତ ଗବେଷଣା କରାଯିବା ପାଇଁ ସାଧାରଣରେ ମତ ପ୍ରକାଶ ପାଉଛି ।