ଆଦିବାସୀ ମାନଙ୍କୁ ମିଥ୍ୟା ଅବକାରୀ କେସ ରେ ଫସାଇ ହଇରାଣ ଘଟଣା : ଆପାରଗ ଦୁର୍ନୀତିଗ୍ରସ୍ତ ଅବକାରୀ ଉପ ନିରୀକ୍ଷକ ବିରୁଦ୍ଧରେ ଆଦିବାସୀ ସଂଘ ର ଅଭିଯୋଗ 

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ପାଟଣାଗଡ଼ :- ଅବକାରୀ ବିଭାଗ ର ଉପନିରୀକ୍ଷକ ବିଶ୍ଵନାଥ ପରିଡା ଯୋଗଦେବା ଦିନଠାରୁ ବଡ଼ ବଡ଼ ମଦ ମାଫିଆ,ଗଞ୍ଜେଇ ମାଫିଆ,କଫ ସିରପ ମାଫିଆ ଓ ନିଶା କାରବାର କରୁଥିବା ପ୍ରଭାବଶାଳୀ ଲୋକଙ୍କ ସହିତ ହାତ ମିଳାଇ ମଧୁଚନ୍ଦ୍ରିକା କରୁଛନ୍ତି । ଖପ୍ରାଖୋଲ, ପାଟଣାଗଡ଼, ବେଳପଡା ବ୍ଲକର ଗ୍ରାମାଞ୍ଚଳରେ ବେଆଇନ ମଦ ଗଞ୍ଜେଇ କଫ ସିରପ ଶ୍ରୀ ପରିଡା ଏସ.ଆଇ ଙ୍କ ଜାଣତରେ ହେଉଛି । ଅସାଧୁ ବ୍ୟବସାୟୀ ମାନଙ୍କଠାରୁ ଏସ. ଆଇ ଶ୍ରୀ ପରିଡ଼ା ମାସିକିଆ କୋଟା ନେଉଛନ୍ତି । ବିନା ଲାଇସେନ୍ସଧାରି ମଦ ଦୋକାନୀ ମାନଙ୍କ ଠାରୁ ସେ ପିସି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ଲୋକ ଅଭିଯୋଗ କଲେ ଷ୍ଟାଫ ଅଭାବ,ଗାଡି ଅଭାବ, ବହୁତ ବିଶାଳ ଏରିଆ ଯୋଗୁଁ ଯାଞ୍ଚ କରିବା ସମ୍ଭବ ନୁହେଁ ବୋଲି ଯୁକ୍ତି କରନ୍ତି । ଅଥଚ ମାସିକିଆ ଅବକାରୀ କେସ ଟାର୍ଗେଟ ପୂରଣ କରିବା ଉଦ୍ଦେଶ୍ୟରେ କିଛି ଗରିବ, ନିରୀହ, ଆଦିବାସୀ ମାନଙ୍କୁ ମିଥ୍ୟା କେସ ରେ ଫସାଇ ମାମଲା ରୁଜୁ କରି ଉପରିସ୍ଥ ଅଧିକାରୀ ମାନଙ୍କ ଠାରୁ ସାବାସୀ ନେଉଛନ୍ତି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ଠାରେ ଶ୍ରୀ ପରିଡା ଅବକାରୀ ଏସ.ଆଇ ବିରୁଦ୍ଧରେ ଆଜି ଅଭିଯୋଗ କରିଛି ଏବଂ ନ୍ୟାୟ ମିଳିବା ପାଇଁ ଦିବାକର ଧରୁଆ ମଧ୍ୟ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ ଗତ ତା.୧୭.୦୫.୨୧ ସୋମବାର ଦିନ ସାଢେ ଦଶଟା ରେ ପାଟଣାଗଡ଼ ଥାନା ପଣ୍ଡାରିପାଣି ଗାଁ ର ଦିବାକର ଧରୁଆ ତାଙ୍କର ସୁପର ଏକ୍ସ ଏଲ ଗାଡ଼ିରେ ତେନ୍ତୁଳି, ଆମ୍ବୁଲ କିଣିବା ସହିତ ଗାଁ ଗାଁ ବୁଲି ପନିପରିବା ମଧ୍ୟ ବିକିବାକୁ ଯାଉଥିଲେ । ଚଂଘରିଆ ପାଞ୍ଚ ଛକଠାରେ ଅବକାରୀ ବିଭାଗ ର କର୍ମଚାରୀ ମାନଙ୍କ ସହିତ ଏସ. ଆଇ ଶ୍ରୀ ପରିଡା ପନିପରିବା ବିକାଳୀ ଶ୍ରୀ ଧରୁଆ ଙ୍କୁ ଅଟକାଇ ଗାଳି ଗୁଲଜ ମାଡ଼ ପିଟ କରି ତାର ମୋବାଇଲ, ନିକିତି,ଗାଡି, ଟଙ୍କା ଏବଂ ପନିପରିବା ଅନ୍ୟାନ୍ୟ ଜିନିଷ ଲୁଟି ନେଲେ । ନିରୀହ ଆଦିବାସୀ ଶ୍ରୀ ଧରୁଆ ଏକୁଟିଆ ଥିବା ସୁଯୋଗ ନେଇ ଅବକାରୀ ଏସ. ଆଇ ଶ୍ରୀ ପରିଡା ଦିବାକର ଧରୁଆ ଙ୍କ ନାମରେ ମିଥ୍ୟା ଅବକାରୀ କେଶ ରେ ମାମଲା

ରୁଜୁକରି ହଇରାଣ କରିବା ସହିତ ତାଙ୍କ ଗାଡ଼ି, ଟଙ୍କା, ମୋବାଇଲ, ଆମ୍ବୁଲ, ତେନ୍ତୁଳି ,ପନିପରିବା କୁ ନେଇଗଲେ ।ଶ୍ରୀ ଧରୁଆ ଙ୍କୁ ଗାଳି ଗୁଳଜ ଧମକ ଚମକ ଦେବା ସହିତ ମିଥ୍ୟା କେଶ ରେ ଜେଲ ପଠାଇଦେବି ବୋଲି ଶ୍ରୀ ପରିଡା ଧମକ ଦେଇଥିଲେ । ଅବକାରୀ ଏସ. ଆଇ ଜଣକ ଜଣେ ରାଜନେତା ଙ୍କ ଇସାରାରେ କାମ କରୁଛି , ଆଦିବାସୀ ନିରୀହ ଲୋକଙ୍କୁ ମିଥ୍ୟା ମକଦ୍ଦମା ରେ ଛନ୍ଦିଦେଇ ହଇରାଣ କରୁଛି,କୋଟିପତି ମଦ ମାଫିଆ ସହିତ ହାତ ମିଳାଇ ନିରୀହ ଜନତା କୁ ଦାଉ ସାଧୁଛି । ତେଣୁ ଶ୍ରୀ ପରିଡା କୁ ତୁରନ୍ତ ବଦଳି କରିବା ସହିତ ଆଦିବାସୀ ବିରୋଧୀ ମନୋଭାବ ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଉପଜିଲ୍ଲାପାଳ ପାଟଣାଗଡ଼ ଙ୍କ ଠାରେ ଅଭିଯୋଗ କରିଛି

ଯଦି ଶ୍ରୀ ପରିଡ଼ା ଙ୍କ ବିରୋଧ ରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆଗାମୀ ଦିନରେ ଆଦିବାସୀ ସଂଘ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ସଂଘ ର ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହା,ଯୁଗ୍ମ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ ,ମନବୋଧ ବରିହା,ହୃଷିକେଶ ଭୋଇ, ଧୁବଲେଶ୍ୱର ଭୋଇ, ମହେନ୍ଦ୍ର ବରିହା,ଲୋକନାଥ ବାରିକ, ଗଦି ବରିହା,ବଳରାମ ବରିହା,ଘନ ଭୁଏ, ବୀର କାଳସାଏ ପ୍ରମୁଖ ଉପସ୍ଥିତ ଥିଲେ ।(ପାଟଣାଗଡ଼ /ଗୋରେଖନାଥ ବରିହା )