ସୁପର ସ୍ପ୍ରେଡର ବେଲଗାମ : ବଢୁଛି ସଂକ୍ରମଣ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ହିଞ୍ଜିଳିକାଟୁ :- କରୋନା ସକାଶେ ଗତ ୩ ମାସ ଧରି ସନ୍ତୁଳି ହେଉଛି ଓଡିଶା।ପଡୋଶୀ ରାଜ୍ୟର ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରି ବହୁ ସତର୍କ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।ପଶ୍ଚିମବଙ୍ଗ ଓ କୁମ୍ଭମେଳା ଫେରନ୍ତାଙ୍କ ପରେ ଓଡ଼ିଶାର ସ୍ଥିତି ବିଗିଡି ଯାଇଥିଲା। ସାରା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି କରିଛି।ପରିସ୍ଥିତି ଉପରେ ନଜର ରଖି ରାଜ୍ୟ ସରକାର ଘୋଷଣା କରିଛନ୍ତି ସପ୍ତାହନ୍ତ ସଟ ଡାଉନ ଓ ୧୪ ଦିନିଆ ଲକ ଡାଉନ।ପ୍ରଥମ ପର୍ଯ୍ୟାୟ ସଟ ଡାଉନ ଅବଧି ବୁଧବାର ସରିଛି।ପୁଣି ଦ୍ଵିତୀୟ ପର୍ଯ୍ୟାୟ ଲକ ଡାଉନ ସପକ୍ଷରେ ରାଜ୍ୟ ସରକାର ଘୋଷଣା କରିଛନ୍ତି।ସରକାରଙ୍କ ଘୋଷଣା ମୁତାବକ ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କରୋନାର ଦ୍ଵିତୀୟ ଲହର ଜିଲ୍ଲାରେ ବିଭୀଷିକା ଖେଳାଇ ଜିଲ୍ଲାବାସୀଙ୍କୁ ଭୀତତ୍ରସ୍ତ କରିଛି।ଏଭଳି ଏକ ଭୟଙ୍କର ପରିସ୍ଥିତିରେ ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି।ମହାମାରୀର ପ୍ରକୋପ ହ୍ରାସ କରିବା ସକାଶେ କଡାକଡି ପଦକ୍ଷେପ ଓ ସତର୍କତା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି।ଜିଲ୍ଲାର ବିଭିନ୍ନ ସହରରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିବା ମହାମାରୀ ଏବେ ଗାଁ ମୁଁହା ହୋଇଛି।ଗତ କିଛି ଦିନ ଧରି ଗାଁ ଗାଁ ରେ ଆକ୍ରାନ୍ତଙ୍କ କ୍ରମଶଃ ବୃଦ୍ଧି ପାଉଥିବା ଜଣାପଡିଛି।

ସ୍ଥାନୀୟ ସହରରେ ସଂକ୍ରମଣ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଗ୍ରାମାଞ୍ଚଳର ଚିହ୍ନଟ ପ୍ରକ୍ରିୟା ଆଶାନୁରୂପ ନୁହେଁ। ଗ୍ରାମାଞ୍ଚଳ ଗୁଡିକରେ କରୋନା ସ୍ଥିତି ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ପ୍ରଶାସନିକ ସ୍ତରରେ ରୀତିମତ ଉଦ୍ୟମ ଜାରି ରହିଛି।ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଠାରୁ ଆରମ୍ଭ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ଆକ୍ରାନ୍ତଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଇବା ଠାରୁ ଔଷଧ କିଟ ଓ ସ୍ୱାସ୍ଥ୍ୟ ନିରୀକ୍ଷଣ କରି ନିୟମିତ ସୂଚନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି।କରୋନା ସଂକ୍ରମିତଙ୍କୁ ବାହାରେ ବୁଲାବୁଲି ନ କରି ଏକାନ୍ତବାସରେ ରହିବା ପାଇଁ ନିର୍ଦ୍ଦେଶ ରହିଛି।କିନ୍ତୁ ତୃଣମୂଳସ୍ତରରେ ନିୟୋଜିତ ତଥା ପ୍ରଶାସନିକ ତଦାରଖ ଅଭାବରୁ ବହୁ ସଂକ୍ରମିତ ବେଫିକର ଭାବେ ଘୁରି ବୁଲୁଥିବା ଗ୍ରାମବାସୀଙ୍କ ଆଲୋଚନାରୁ ସୂଚନା ମିଳିଛି। ପରିବାରର ବହୁ ସଦସ୍ୟ ଜ୍ୱର,କାଶ ଓ ଥଣ୍ଡାରେ ପୀଡ଼ିତ ଥିଲା ବେଳେ ଏବେ ସୁପର ସ୍ପ୍ରେଡର ମାନଙ୍କ ଅବାଧ ଚଳ ପ୍ରଚଳ ଗାଁ ଦୋକାନ,ନିଜ ସମ୍ପର୍କୀୟଙ୍କ ଭୋଜି ଭାତର ଆସର ଓ ଖଟିରେ ଦେଖିବାକୁ ମିଳିଛି।ସବୁଠାରୁ ଉଦବେଗର ବିଷୟ ହେଲା ଏବେ କିଛି ସୁପର ସ୍ପ୍ରେଡର ସରକାରୀ କର୍ମଚାରୀଙ୍କ ହାତ ବାରିସୀ ସାଜି ନିଜ ଫାଇଦାରେ ବ୍ୟସ୍ତ ରହୁଥିବା କିଛି ଗ୍ରାମବାସୀ ସୂଚନା ଦେଇଛନ୍ତି।ମହାମାରୀ କଟକଣା ବେଳେ ଏଭଳି ସମ୍ବେଦନଶୀଳ ଘଟଣା ଘଟୁଥିବା ବେଳେ ସୁପର ସ୍ପ୍ରେଡରଙ୍କ କାର୍ଯ୍ୟକଳାପ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଛି।ଫଳରେ କିଛି ଗ୍ରାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଔଷଧ ସେବନ କରି ଘରେ ଚିକିତ୍ସିତ ହେଉଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।ପରିସ୍ଥିତି ଅଣାୟତ ହେବା ପୂର୍ବରୁ କରୋନାର ବାହକ ସାଜିଥିବା ସୁପର ସ୍ପ୍ରେଡରଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଜରୁରୀ ଆବଶ୍ୟକତା ରହିଛି ବୋଲି ଦାବି ଉଠିଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )