ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ଅନୁଗୋଳ :-  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି । ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ବାଦ ଦେଇ ସୋମବାରରୁ ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ପରିବା ଓ ରାଶନ ଦୋକାନ ଖୋଲାଯାଉଛି। ହେଲେ କରୋନାକୁ ଭୟ କରି ଲୋକେ ଏତେ ବ୍ୟତିବ୍ୟସ୍ତ ହେଉଛନ୍ତି ଯେ ସାମାଜିକ ଦୂରତ୍ୱ ନ ରଖି ଚଢ଼ାଚଢ଼ି ହୋଇ ପରିବା ଓ ରାଶନ କିଣୁଛନ୍ତି ।

ବିଶେଷକରି ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରଦିନ ସୋମବାର ବଜାରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଆଉ ଏହାକୁ ସୁଯୋଗ ଭାବି କେତେଜଣ ଅସାଧୁ ବ୍ୟବସାୟୀ ଆଳୁ, ପିଆଜ ଧଡ଼ା (ଅଢ଼େଇ କେଜି) ପ୍ରତି ମୂଲ୍ୟ ବଢ଼ାଇ ଗ୍ରାହକଙ୍କୁ ଲୁଟିବାରେ ଲାଗିଛନ୍ତି। ଅନୁଗୋଳର ବିଭିନ୍ନ ବଜାରରେ ଗ୍ରାହକ ଏପରି ଶୋଷଣର ଶିକାର ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଯୋଗାଣ ବିଭାଗ ଅତ୍ୟାବଶ୍ୟକ ସାମଗ୍ରୀର ଦର ତାଲିକା ସାଧାରଣରେ ପ୍ରକାଶ କରୁ ନ ଥିବାରୁ ଅସାଧୁ ବ୍ୟବସାୟୀମାନେ ଚଢ଼ା ମୂଲ୍ୟ ନେଉଥିବା ସହରବାସୀ କହିଛନ୍ତି।

ଅନୁଗୋଳ ଜିଲାର ବିଭିନ୍ନ ବଜାରରେ ଆଳୁ, ପିଆଜ ଦର କେଜି ପିଛା ୩୦ ଛୁଇଁଲାଣି। ଏହାକୁ ଦେଖି ରାଶନ ସାମଗ୍ରୀ ବିକୁଥିବା କେତେଜଣ ଅସାଧୁ ବ୍ୟବସାୟୀ, ଚାଉଳ, ଡାଲି ଦର ମଧ୍ୟ ବଢ଼ାଇ ଦେଇଛନ୍ତି। ଲକ୍‌ଡାଉନ୍‌ରେ ମାଲ୍‌ ପରିବହନ ସ୍ବାଭାବିକ ଥିଲେ ବି କେତେବେଳେ ଗାଡ଼ି ଆସୁ ନ ଥିବା ଓ ସାମଗ୍ରୀ ଅଭାବ ଥିବା ଦର୍ଶାଇ ସମ୍ପୃକ୍ତ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ ଚଢ଼ା ଦର ନେଉଛନ୍ତି। ଆଳୁ କୁଇଣ୍ଟାଲ ପିଛା ୧୨ଶହ ଟଙ୍କା କିଣା ରହୁଥିବାବେଳେ ପିଆଜ କୁଇଣ୍ଟାଲ ପିଛା ୧୯ଶହ ଟଙ୍କାରେ ବ୍ୟବସାୟୀମାନେ କିଣି ୩୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। କେତେକ ସ୍ଥାନରେ ଆଳୁ ୪୦ ପାଖାପାଖି ସ୍ଥିତିରେ ପହଞ୍ଚିଲାଣି।

ଅଭିଯୋଗ ବଢ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯିବାରୁ ଯୋଗାଣ ବିଭାଗର ନିଦ ଭାଙ୍ଗିଛି। ବିଭିନ୍ନ ବଜାରରେ ଚଢ଼ାଉ କରାଯାଉଛି। କିନ୍ତୁ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହାର ସୁଫଳ ଲୋକଙ୍କୁ ମିଳୁନି। ଅନ୍ୟପକ୍ଷରେ କେତେଜଣ ବ୍ୟବସାୟୀ କହିଛନ୍ତି, ଲକଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଲୋକମାନେ ଏକାଥରକେ ଅଧିକ ସାମଗ୍ରୀ କିଣିବାକୁ ଚାହଁୁଛନ୍ତି। ତେଣୁ ବାରମ୍ବାର ମାଲ୍‌ ମଗାଇବାକୁ ପଡ଼ୁଛି। ଗାଡ଼ି ଭନା ଅଧିକ ଦେବାକୁ ପଡ଼ୁଥିବାବେଳେ ଗୋଦାମରେ ଦର ମଧ୍ୟ ସ୍ଥିର ରହୁନାହିଁ। ସେଥିପାଇଁ କେତେକ ସ୍ଥାନରେ ବ୍ୟବସାୟୀ ଚଢ଼ା ମୂଲ୍ୟ ନେଉଛନ୍ତି।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )